କନକ ବ୍ୟୁରୋ: ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା । ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚଳିତ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି । ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ୧ ଲକ୍ଷ ୨୦  ହଜାର ଟଙ୍କା ସହାୟତା । ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ୬ ହଜାର ୫୦୦  ଟଙ୍କା । ଆଂଶିକ କ୍ଷତିଗ୍ରସ୍ତ କଚ୍ଚାଘର ପାଇଁ ୪୦୦୦  ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦  ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦  ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

Advertisment

ସେହିପରି ୨ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ ଟଙ୍କା ଓ ବାସନ କୁସନ ପାଇଁ ୨୫୦୦  ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ । ଚାଷୀଙ୍କ କ୍ଷୟକ୍ଷତିର ଭରଣା ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦  ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ । ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦  ଟଙ୍କା ଆର୍ଥିକ ସହାୟତାରାଶି ପ୍ରଦାନ କରାଯିବ । ଏହି ସହାୟତା  ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇଦିଆଯିବ । ସେହିପରି ମତ୍ସ୍ୟଜୀବିମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦  ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦  ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦  ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦   ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷର କ୍ଷତି ପାଇଁ ହେକ୍ଟର ପିଛା  ୧୦,୦୦୦  ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।