କନକବ୍ୟୁରୋ : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କର ପହଣ୍ଡି ବିଜେ ।  ବର୍ଷା ପାଗ ରହିଥିବାରୁ ଠାକୁରଙ୍କ ରୀତିନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ପାଟ ପଟୁଆରରେ ଖୁବ୍ ଆଡ଼ମ୍ବର ପୂର୍ଣ୍ଣ ଭାବେ ଗୋଟି ପହଣ୍ଡିରେ ରଥରୁଢ଼  ହୋଇଛନ୍ତି ତିନି ଠାକୁର ।  ସର୍ବ ପ୍ରଥମେ ବଡ଼ଭାଇ ବଳଭଦ୍ର ଗୋଟି ପହଣ୍ଡିରେ ଆସି ତାଳଧ୍ବଜ ରଥରେ ପହଞ୍ଚିବା ପରେ ଭଉଣୀ ସୁଭଦ୍ରା ସୁଦର୍ଶନଙ୍କ ସହ ଆସି ଦର୍ପଦଳନ ରଥରେ ଚଢ଼ିଥିଲେ ।   ଶେଷରେ ଜଗତର ନାଥ ଜଗନ୍ନାଥ ଗୋଟି ପହଣ୍ଡିରେ ଆସି ତାଙ୍କର ନନ୍ଦିଘୋଷ ରଥରେ ଚଡ଼ି ମାଉସୀ ଘରକୁ ଯିବାପାଇଁ ଅପେକ୍ଷା କରିଛନ୍ତି ।

Advertisment

ପୂର୍ବ ରୀତିନୀତି ଅନୁଯାୟୀ ଆଜି ଓ ଆସନ୍ତାକାଲି ତାରିଖ ଦୁଇଦିନ ଧରି ଏଠାରେ ରଥଟଣା ପର୍ବ ଅନୁଷ୍ଠିତ ହେବ । ୧୫୭୫ ମସିହାରେ ତତ୍କାଳୀନ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ ରାଜ୍ୟର ରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ଶାସନ କାଳ ସମୟରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।  ତେଣୁ ରାଜତନ୍ତ୍ର ସମୟରୁ ରଥଯାତ୍ରାରେ ଭଞ୍ଜ ବଂଶୀୟ ରାଜା ମହାରାଜା ମାନଙ୍କର ରହି ଆସିଥିବା ଦାୟିତ୍ୱ ଓ ଗୁରୁତ୍ୱ ଆଜି ମଧ୍ୟ ସେମିତି ବଜାୟ ରହିଛି ।   ପୁରା ରାଜପରିବାର ବଡ଼ଦାଣ୍ଡରେ ପହଞ୍ଚି ତିନିଥରରେ ଛେରାପହଁରା କରିବା ପରେ ରଥ ଉପରକୁ ବିଜେ କରିଥିଲେ ଚତୁର୍ଦ୍ଧା ପ୍ରତିମା  ।  ଆଉ ଏଥିପାଇଁ ଖୁସି ଜାହିର କରିଛନ୍ତି ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରଣୀ ରଶ୍ମି ରାଜଲଷ୍ମୀ ଭଞ୍ଜଦେଓ।