କନକ ବ୍ୟୁରୋ: ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ କରାଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥଟଣା ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଛି । ନୀତି ନିର୍ଘଣ୍ଟରେ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିଲା । ମାତ୍ର ଏହାର ଏକଘଣ୍ଟା ଆଗରୁ ଅପରାହ୍ନ ୩ଟାରେ ରଥ ଟଣା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ଟଣା ଯାଇଛି ।

Advertisment

ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଛନ୍ତି । ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଥିଲେ । ଏହାପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରାଯାଇଥିଲା ।

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିଥିଲେ । ଶେଷରେ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ । ଏହାପରେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣ ରଥକୁ ବିଜେ ହୋଇଥିଲେ ।

ଏହା ପରେ ନୀତି ନିର୍ଘଣ୍ଟ ଅନୁସାରେ ଛେରା ପହଁରା ନୀତି ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଦ୍ବାରା  ସମ୍ପନ୍ନ ହୋଇଥିଲା । ଛେରା ପହଁରା ପରେ ଚାରମାଳ ଫିଟା ହୋଇ ଘୋଡ଼ା ଯୋଚା ନୀତି ହୋଇ  ରଥ ଟଣା ଆରମ୍ଭ ହୋଇଥିଲା।