କନକ ବ୍ୟୁରୋ: ଆରମ୍ଭ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଟଣା । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ କରାଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥଟଣା ଧାର୍ୟ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଥିଲା । ନୀତି ନିର୍ଘଣ୍ଟରେ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିଲା । ମାତ୍ର ଏହାର ଏକଘଣ୍ଟା ଆଗରୁ ଅପରାହ୍ନ ୩ଟାରେ ବଳଭଦ୍ରଙ୍କ ରଥ ଟଣା ହୋଇଥିଲା । ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଆଉ ଶେଷ କାଳିଆ ଠାକୁରଙ୍କ ରଥଟଣା ନୀତି ଆରମ୍ଭ ହୋଇଛି ।
ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଛନ୍ତି । ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଥିଲେ । ଏହାପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରାଯାଇଥିଲା ।