କନକ ବ୍ୟୁରୋ: ପୁଣି ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଆଉ ଏକ ଟି-୨୦ ଲିଗ୍ ପାଇଁ ପ୍ରସ୍ତୁତ ହେଉଛି ଆଇସିସି । ଏହା ଫ୍ୟାନମାନଙ୍କ ପାଇଁ ନୂଆ ନୁହେଁ ବରଂ ଏହି ଲିଗର ମଜା ପୂର୍ବରୁ ନେଇ ସାରିଛନ୍ତି ଦର୍ଶକ । ହେଲେ ଏବେ ଏହି ଲିଗ୍ ନୂଆ ନାଁ ସହ ମୈଦାନକୁ ଆସିବ । ହଁ ଆଜ୍ଞା ଆମେ କହୁଛୁ ୨୦୧୫ର ପରଠୁ ବନ୍ଦ ହୋଇଯାଇଥିବା ଚାମ୍ପିୟନ୍ସ ଲିଗ୍ କଥା । ଯେଉଁ ଲିଗରେ ୨-୨ଥର ଚାମ୍ପିୟନ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ ଆଉ ରୋହିତ ଶର୍ମାଙ୍କ ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସ ।
ସୂଚନା ଅନୁସାରେ ଏଥର ଚାମ୍ପିଅନ୍ସ ଲିଗ୍ ଟି-୨୦ 'ଦି ୱାର୍ଲ୍ଡ କ୍ଲବ୍ ଚାମ୍ପିଅନସିପ୍' ନାମରେ ଜଣାଶୁଣା ହେବ । ଏହାର ସବୁଠାରୁ ଖାସ କଥା ହେଉଛି ଏଥିରେ ସେହି ଟିମ୍ ଖେଳିବେ ଯେଉଁ ଟିମ୍ ବିଶ୍ୱର ପ୍ରମୁଖ ଟି-୨୦ ଲିଗ୍ ଯେମିତି କି ଆଇପିଏଲ, ବିବିଏଲ, ସିପିଏଲ୍ ପିଏସଏଲ, ଏସଏସ ୨୦ ଆଉ ଦ ହଣ୍ଡ୍ରେଡର ଚାମ୍ପିୟନ ହେବେ । ନୂଆ ନାଁ ଆଉ ନୂଆ ଅନ୍ଦାଜରେ ଚାମ୍ପିୟନ୍ସ ଲିଗ ଟି-୨୦ ଆରମ୍ଭ ହେବାର ପ୍ରବଳ ସମ୍ଭାବନା ରହିଛି । ରିପୋର୍ଟ ଅନୁସାରେ ବିସିସିଆଇ ଓ ଇସିବି ଏହାର ଅନୁମତି ପାଇଁ ଆଇସିସି ଚେୟାରମ୍ୟାନ ଜୟ ଶାହଙ୍କ ସହ ଆଲୋଚନା ଚାଲିଛି ।
ଚାମ୍ପିୟନ୍ସ ଲିଗ ଟି-୨୦ର ଆରମ୍ଭ ପ୍ରଥମଥର ପାଇଁ ୨୦୦୯ରେ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ୨୦୧୪ ଯାଏଁ ଖେଳାଯାଇଥିଲା । ହେଲେ ସ୍ପନ୍ସରସିପ୍ ନମିଳିବା ଏବଂ ଖରାପ ଟିଆରପି ପାଇଁ ଏହାକୁ ବ୍ୟାନ କରାଯାଇଥିଲା । ଆଇପିଏଲ ଭଳି ଚାମ୍ପିୟନ୍ସ ଲିଗ୍ ଟି-୨୦ରେ ବି ଚେନ୍ନାଇ ମୁମ୍ବାଇ ନିଜ ଜଲଓ୍ୱା ଦେଖାଇଥିଲେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୨ ଥର ଚାମ୍ପିୟନ ହୋଇଥିଲା । ୨୦୧୦ ଓ ୨୦୧୪ରେ ବିଜେତା ବନିଥିଲା ଚେନ୍ନାଇ ସୁପର କିଙ୍ଗସ । ସେହିପରି ମୁମ୍ୱାଇ ବି ୨୦୧୧ ଓ ୨୦୧୩ରେ ଚାମ୍ପିୟନ୍ସ ଲିଗ୍ ଟି-୨୦ର ବିଜେତା ବନିଥିଲା ।
ଏହାରି ଭିତରେ ୧୦ ବର୍ଷ ବିତି ଯାଇଛି । ବିଶ୍ୱ କ୍ରିକେଟରେ ବହୁତ ପରିବର୍ତ୍ତନ ହୋଇଛି । ଗୋଟିଏ ଉପର ସ୍ତରରେ ପହଞ୍ଚିଛି ବିଶ୍ୱ କ୍ରିକେଟ । ବିଭିନ୍ନ ଦେଶ ନିଜ ନିଜ ଟି-୨୦ ଲିଗ୍ ଆରମ୍ଭ କରିଛନ୍ତି । ଯଦି ସବୁ ଠିକଠାକ ଚାଲେ ତେବେ 'ଦି ୱାର୍ଲ୍ଡ କ୍ଲବ୍ ଚାମ୍ପିଅନସିପ୍' ଆରମ୍ଭ ହେବାକୁ ବେଶି ସମୟ ଲାଗିବ ନାହିଁ । ଆଉ କୁହାଯାଉଛି ଏହି ହିଁ ସଠିକ ସମୟ ଏହି ଲିଗ ଆରମ୍ଭ କରିବା । ଏହି ଲିଗ୍ କେବଳ ବିଭିନ୍ନ ଦେଶର ଚାମ୍ପିୟନ ଟିମ ଭିତରେ ପ୍ରତିଯୋଗୀତା ନୁହେଁ ବରଂ ଦର୍ଶକଙ୍କୁ ଏକ ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଦେଖିବାର ସୁଯୋଗ ଦେବ ।