କନକ ବ୍ୟୁରୋ; ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ହେବା ଉଚିତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଶ୍ବିନୀ ଚୌବେଙ୍କ ଏଭଳି ମନ୍ତବ୍ୟ ବିହାର ରାଜନୀତିରେ ଗୁଞ୍ଜରଣ ସୃଷ୍ଟି କରିଛି । ଯଦି ଅଶ୍ବିନୀ ଚୌବେଙ୍କ କଥାକୁ ମାନିନିଆଯାଏ ତାହାହେଲେ ଉପରୋକ୍ତ ମନ୍ତବ୍ୟ ଠିକ ହେବ । ନୀତୀଶଙ୍କ ମନ୍ତ୍ରୀମଣ୍ଡଳରେ ଦିନେ ମନ୍ତ୍ରୀଭାବେ କାମ କରିଥିବା ଅଶ୍ବିନୀ ବିହାର ମୁଖ୍ୟମନ୍ତ୍ରୀଙ୍କ ଏବେ କେନ୍ଦ୍ରରେ ଆବଶ୍ୟକତା ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ।
 
ଏବର୍ଷ ଶେଷ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନରେ ଏନଡିଏ ମେଣ୍ଟ ନୀତୀଶ କୁମାରଙ୍କ ନେତୃତ୍ବରେ ଲଢ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ସ୍ପଷ୍ଟ କରିଛନ୍ତି । ତେଣୁ ଅଶ୍ବିନୀଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ବୋଲି ଅଭିହିତ କରି ଜେଡିୟୁ ଏହି ପ୍ରସଙ୍ଗକୁ ହାଲୁକା କରିବାକୁ ଚେଷ୍ଟା କରୁଛି । 

Advertisment

 ମାତ୍ର ବିହାର ବିଜେପି ତୁଙ୍ଗ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିବା ଅଶ୍ବିନୀଙ୍କ ମନ୍ତବ୍ୟକୁ ଏତେ ହାଲୁକ ଭାବେ ନିଆଯାଇପାରିବନି । ଅଶ୍ବିନୀଙ୍କ ମନ୍ତବ୍ୟ ବିଜେପି ତୁଙ୍ଗ ନେତାମାନଙ୍କର ବିହାରକୁ ନେଇ ଏକ ସୁଚିନ୍ତିତ ଯୋଜନାର ଏକ ଅଂଶ ବୋଲି କୁହାଯାଇପାରେ । ସୁଶାସନ ବାବୁ ଭାବେ ଖ୍ୟାତ ନୀତୀଶ କୁମାର ବାରମ୍ବାର ଦଳ ବଦଳାଇବା ଯୋଗୁଁ ପଲଟୁରାମ ଭାବେ ମଧ୍ୟ ପରିଚିତ ।

ତାଛଡା ବିଭିନ୍ନ କାରଣ ଯୋଗୁଁ ନୀତୀଶ କୁମାର ମାନସିକ ଓ ଶାରିରୀକ ଅବସ୍ଥା ଠିକ ରହୁନାହିଁ ବୋଲି ସମାଲୋଚନା ହୁଏ । ଗତ ନିର୍ବାଚନରେ ଅଧିକ ଆସନ ଜିତିଥିଲା ବିଜେପି । ତଥାପି ନୀତୀଶ କୁମାରଙ୍କ ଉଜ୍ଜ୍ବଳ ଭାବମୂର୍ତ୍ତି ଆଧାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିଦେଇଥିଲା । ମାତ୍ର ୧୮ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତୀଶ ଛାୟାରୁ ମୁକ୍ତ ହେବାକୁ ବିଜେପି ଚାହୁଛି । ଏହା ବି ହୋଇପାରେ ଏଥରକ ବିଧାନସଭା ନିର୍ବାଚନରେ ବିଜେପି ନିଜ ଦଳୀୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇପାରେ । ଏହା ବଦଳରେ ନୀତୀଶଙ୍କୁ କେନ୍ଦ୍ରରେ ଏକ ଉଚ୍ଚ ପଦବୀ ଦେଇ ବିହାରରେ ତାଙ୍କୁ ସମ୍ମାନଜନକ ବିଦାୟ ଦେଇପାରେ ।