କନକ ବ୍ୟୁରୋ : ଏକାଠି ହୋଇ କାମ କରିବେ କେନ୍ଦ୍ର ଓ ରାଜ୍ୟ । ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଆହ୍ବାନ, ହଁ ଭରିଲେ ମୁଖ୍ୟମନ୍ତ୍ରୀ ମୋହନ । ଓଡ଼ିଶା ବିକାଶର ନୀଳନକ୍ସା ସାମ୍ନାରେ ରଖିଲେ । ଆଉ ସିଧାସଳଖ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ସମୃଦ୍ଧ ଓଡ଼ିଶା-୨୦୩୬ ପାଇଁ କେନ୍ଦ୍ରର ଦରକାର ସହଯୋଗ ।
ଦିଲ୍ଲୀରେ ଶେଷ ହୋଇଛି ନିତି ଆୟୋଗର ୧୦ମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିକଶିତ ଭାରତର ନକ୍ସା ଆଙ୍କିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ସଂକଳ୍ପକୁ ସତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ । ଏହାଛଡା ଅତି କମ୍ରେ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଜାତୀୟମାନର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ନୀତି ଆୟୋଗ ବୈଠକରେ ଯୋଗ ଦେଇ ସମୃଦ୍ଧ ଓଡ଼ିଶା-୨୦୩୬ର ବ୍ଲୁ-ପ୍ରିଣ୍ଟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାବସୀଙ୍କ ପାଇଁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତିର ସ୍ବପ୍ନ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ମାସର ଶାସନରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବିକାଶର ଅନେକ ପାହାଚ ଚଢିଛି । ସଫଳତାର ଫର୍ଦ୍ଦ ଓଲଟାଇ ମୋହନ କହିଛନ୍ତି, ୧ କୋଟି ମହିଳାଙ୍କ ସଶକ୍ତିକରଣର ବଡ଼ ମାଧ୍ୟମ ସାଜିଛି ସୁଭଦ୍ରା । ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଶୀର୍ଷରେ ରହିଛି ଓଡ଼ିଶା । ୧ କୋଟି ପରିବାରକୁ ଆୟୁଷ୍ମାନ ଯୋଜନାରେ ମାଗଣା ଚିକିତ୍ସା । ଉତ୍କର୍ଷ ଓଡ଼ିଶା ଜରିଆରେ ମିଳିଛି ୧୬.୭୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ । କିନ୍ତୁ ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଏତିକି ଯଥେଷ୍ଟ ନୁହେଁ । ଓଡ଼ିଆ ଅସ୍ମିତାକୁ ବିଶ୍ବସ୍ତରୀୟ କରିବାକୁ ପ୍ରତିଟି କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦ୍ରୁତ ବିକାଶ କ୍ଷେତ୍ରରେ ବଢୁଛି ଭାରତ । ଆଗାମୀ ୨୫ ବର୍ଷରେ ଦେଶର ବିକାଶର ଇଞ୍ଜିନ ସାଜି ଓଡ଼ିଶା ଉଭା ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋହନ ।