କନକ ବ୍ୟୁରୋ: ରିମାଣ୍ଡ ସରୁଛି, ପ୍ରମାଣ ମିଳୁଛି । ଘନ ଘନ ଜେରା ସାଙ୍ଗକୁ ସିବିଆଇର ପ୍ରଶ୍ନ ବାଣରେ ଘାଇଲା ୩ ଅଭିଯୁକ୍ତ । ସରକାରୀ ବାବୁ ଓ ତାଙ୍କ ଦୁଇ ଗେହ୍ଲାପୁଅ ସାଜିଥିଲା କଂଟ୍ରାକ୍ଟରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରି ସବୁ ତଥ୍ୟ ଉଗାରିବାରେ ସଫଳ ହୋଇଛି ସିବିଆଇ। ଦେବଦତ୍ତ ମହାପାତ୍ରଙ୍କ ଅଫିସ ରେଡ ବେଳେ, ଟେଣ୍ଡର ଫିକ୍ସିଂର ସୁରାକ ପାଇଛି ସିବିଆଇ। ଟେଣ୍ଡର ଫିକ୍ସିଂରେ ଥିବା ବ୍ୟୁରୋକ୍ରାଟଙ୍କ ଲିଙ୍କ ପଦାକୁ ଆସିଛି।
ଯେଉଁଥିପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ଗୋଟିଏ ଚୁଟକିରେ ପାଇଯାଉଥିଲେ ଦେବଦତ୍ତ । ଶହ ଶହ କୋଟିର କାମ ପାଇଁ ପିସି ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ଉପହାର ଲାଞ୍ଚ ଆକାରରେ ଦେଉଥିଲେ । ତେବେ ଏହି ବ୍ୟୁରୋକ୍ରାଟଙ୍କ ଲିଙ୍କ ପଦାକୁ ଆସିବା ପରେ, ବ୍ୟାଙ୍କ ଟ୍ରାଞ୍ଜାକ୍ସନର ଖୋଳତାଡ କରାଯାଉଛି । ଏଥିସହିତ ପଲିଟିକାଲ ଲିଙ୍କ ଥିବା ଅନୁମାନ ବି କରାଯାଉଛି ।
ସେପଟେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଗ୍ରୁପ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ଚଞ୍ଚକତା ସାମନାକୁ ଆସିଛି । ଅନୁକମ୍ପା ଦେଖାଇଥିବା କଂଟ୍ରାକ୍ଟରଙ୍କ ଠାରୁ କେବେ, କାହିଁକି କେତେ ଟଙ୍କା କାରବାର କରିଛନ୍ତି ତାର ହିସାବ ଖୋଜୁଛି ସିବିଆଇ । ଚଞ୍ଚଲଙ୍କ ଭୁବନେଶ୍ୱର ସ୍ଥିତ ବାଲାଜୀ କମ୍ପ୍ଲେକ୍ସକୁ ଯାଇ ଚଢାଉ କରି ବହୁ ତଥ୍ୟ ପାଇଛି ଦିଲ୍ଲୀର ଏହି ସ୍ପେସାଲ ସିବିଆଇ ଟିମ୍ ।