କନକ ବ୍ୟୁରୋ: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି । ବିରୋଧୀଙ୍କ ଅଭିଯୋଗର କଡା ଜବାବ ଦେଇଛି ବିଜେପି ।
ପୀଡିତାଙ୍କ ମୃତ୍ୟୁର ପରେ ପରେ ପୁଲିସର ଏହି ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି । ମାମଲାରେ ଯଦି କାହାର ସମ୍ପୃକ୍ତି ନାହିଁ ତାହେଲେ ପୁଲିସ ୧୫ଦିନ ଧରି କି ତଦନ୍ତ କରୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଉଭୟ ଦଳ ଏହାକୁ ଆତ୍ମହତ୍ୟା ନୁହେଁ, ହତ୍ୟା ଅଭିଯୋଗ କରିଛନ୍ତି । ବିଜେଡି କହିଛି, ସରକାର ଘଟଣାକୁ ଭିନ୍ନମୋଡ଼ ଦେଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ପୁଲିସର ଭୂମିକା ସନ୍ଦେହ ଘେରକୁ ଆସୁଛି । କଂଗ୍ରେସ କହିଛି, ସରକାର ମାମଲାକୁ ଚାପି ଦେବାକୁ ଚାହୁଛନ୍ତି । ୭ ଦିନ ଭିତରେ ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଧରାଯାଉ । ପୀଡ଼ିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକର୍ଡିଂ ସାମ୍ନାକୁ ଅଣାଯାଉ । ନଚେତ୍ ଡିଜି ଅଫିସ ଘେରିବ ଦଳ ।
ପୀଡିତାଙ୍କ ମୃତ୍ୟୁ ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋର ହୋଇଛି ବୟନାବାଜି। ବିରୋଧୀଙ୍କୁ କଡା ଜବାବ ଦେଇ ଶାସକ ଦଳର ନେତା କହିଛନ୍ତି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ। ଏଭଳି ନକରିବାକୁ ବିରୋଧୀ ଦଳକୁ ପରାମର୍ଶ ଦେଇଛନ୍ତି । ଏଥିସହ ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ବିଜେପି ନେତା ।
ବାଲେଶ୍ବର ଏଫଏମ ଛାତ୍ରୀ ଆତ୍ମାହୁତିର ମାତ୍ର ସପ୍ତାହେ ପରେ ବଳଙ୍ଗାରେ ଏହି ଅଘଟଣ ଘଟିଥିଲା। ଯାହା ସାରାରାଜ୍ୟରେ ଚହଳ ପକାଇଥିଲା। ବିରୋଧୀ ପୀଡିତାଙ୍କ ଗାଁରୁ ହସ୍ପିଟାଲ ଯାଏ ତମ୍ବିତୋଫାନ କରିଥିଲେ। କିନ୍ତୁ ଛୋଟଝିଅଟି ଆଖି ବୁଜି ଦେଲା ସିନା, ତାକୁ କିଏ ପୋଡ଼ିଲା? କାହିଁକି ପୋଡ଼ିଲା ତାହା ରହସ୍ୟରେ ରହିଗଲା?