କନକବ୍ୟୁରୋ : ସ୍ମାର୍ଟସିଟିର ମାନ୍ୟତା ପାଇବାକୁ ୯ ବର୍ଷ ବିତିଲାଣି । କିନ୍ତୁ ଏବେବି ସ୍ମାର୍ଟ ହେଇପାରିନି ଭୁବନେଶ୍ୱର । ସନ୍ଧ୍ୟା ନଇଁଲେ ଏଠି ଅନ୍ଧାର ରାଜୁତି କରୁଛି  ।  ଅଧା ସହର ଅନ୍ଧାରରେ ବୁଡ଼ି ରହୁଛି । ପରିସ୍ଥିତି ଏମିତି ଯେ ରାତିରେ ରାଜଧାନୀରେ ଯାତାୟାତ କରିବାକୁ ଲୋକ ଡରିଲେଣି । ପ୍ରତି ମୁହୂର୍ତ୍ତରେ ଚୋରି, ରାହାଜାନି, ଦୁର୍ଘଟଣାର ଭୟ ଘାରୁଛି ।  

Advertisment

ରାତି ହେଲେ ରାସ୍ତାରେ ଯିବାକୁ ଡର ଲାଗୁଛି। ଅଧିକାଂଶ ରାସ୍ତା କିଟିକଟି ଅନ୍ଧାର। ମୁହଁକୁ ମୁହଁ ଦିଶୁନି । ଏଭଳି ଦୃଶ୍ୟ ଦେଖିବାକୁ ଏଠି ପ୍ରାୟ ମିଳେ  । ଭୁବନେଶ୍ୱର ଓମ୍‌ଫେଡ୍‌ ଛକରୁ- ଏମ୍‌ସିଏଲ୍‌ ଛକ , ଆଚାର୍ଯ୍ୟ ବିହାରରୁ ଆପୋଲୋ ହସ୍ପିଟାଲ ରାସ୍ତା , ରସୁଲଗଡ଼ ଓଭରବ୍ରିଜ୍‌, ପଳାସୁଣି ଛକ , ପୁରୀ ବାଇପାସ ରାସ୍ତାର ଅନେକ ଜାଗା କିଟ୍ କିଟ୍‌ ଅନ୍ଧାର ।

ଭୁବନେଶ୍ଵର ମହାନଗର ନିଗମ ଆଲୋକୀକରଣ ପାଇଁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । କିନ୍ତୁ ଫଳ ଶୂନ୍ ।  ମାସିକ ପରିଚାଳନାରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସ୍ଥିତି ସୁଧୁରୁନି ।   ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୭୭ ହଜାରରୁ ଅଧିକ ଷ୍ଟ୍ରିଟ୍‌ଲାଇଟ୍ ରହିଛି  ।  ପ୍ରମୁଖ ଛକରେ ୧୩୧ ରୁ ଅଧିକ ହାଇମାଷ୍ଟ ଲାଇଟ୍ ଲଗାଯାଇଛି ।

ଷ୍ଟ୍ରିଟ୍‌ଲାଇଟ୍ ଲଗାଇବା, ସଜାଡ଼ିବା ତଥା ରକ୍ଷଣାବେକ୍ଷଣ ପାଇଁ ବିଏମ୍‌ସି ମୁଖ୍ୟାଳୟରେ ସ୍ୱତନ୍ତ୍ର ଇଲେକ୍ଟ୍ରିକାଲ୍ ସେକ୍ସନ୍‌ରେ ଜଣେ ନିର୍ବାହୀ ଯନ୍ତ୍ରୀ, ୨ଜଣ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ କାମ କରୁଛନ୍ତି । କିନ୍ତୁ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି କି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି । ଏଠି ପ୍ରଶ୍ନ ଉଠୁଛି, ରାଜଧାନୀର ଏଭଳି ବିକଳ ଚିତ୍ର ପାଇଁ ଦାୟୀ କିଏ ? କାହିଁକି ବିଏମ୍‌ସିର ନିଦ ଭାଙ୍ଗୁନି? ଏଠି ରାଜଧାନୀରେ ସମସ୍ୟା ଅନେକ ହେଲେ ସମାଧାନ ର ରାସ୍ତା ନାହିଁ  ।