କନକ ବ୍ୟୁରୋ: ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ କ୍ଷୋଭ । ବାରମ୍ବାର ଅଭିଯୋଗ କଲେ ବି ହେଉନି ସମାଧାନ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଫଳ ମିଳୁନି । ବୁର୍ଲା ଭୀମସାର କଲେଜ ବିରୁଦ୍ଧରେ ଅଭିଯୋଗ ଅଣାଗଲା, ୪ ଥର ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିଲେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ବୁର୍ଲାର ନାରାୟଣ ବାଗ । ସେ ଭୀମସାର କଲେଜରେ ଗେଟ କିପର ଚାକିରି କରିଥିଲେ । ସରକାରୀ ଚାକିରିରେ ଥିବା ବେଳେ ତାଙ୍କୁ ବିନା ନୋଟିସରେ ଜାନୁଆରୀ ୦୬ ତାରିଖ ୨୦୦୭ରୁ ବାହାର କରି ଦିଆଯାଇଥିଲା । ବର୍ତ୍ତମାନ କୋର୍ଟ ପୁନର୍ବାର ନିଯୁକ୍ତି ପାଇଁ ନିର୍ଦ୍ଦେଶ ପାଇଁ କହିଥିଲେ ବି ହୋଇପାରିନି ସମାଧାନ । ଏପଟେ ଭୀମସାର କଲେଜର ଲିଗାଲ୍ ସେଲ୍ ଅଫିସର ପ୍ରସନ୍ନ ସ୍ୱାଇଁ ତାଙ୍କୁ ହଇରାଣ କରୁଛନ୍ତି, ଆତ୍ମାହୁତି ଦେଲେ ହୁଏତ ସମାଧାନ ହେବ ବୋଲି କହୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏ ଦପ୍ତରରୁ ସେ ଦପ୍ତର ଦୌଡୁଥିବା ନାରାୟଣ ପିଲାଛୁଆଙ୍କୁ କେମିତି ପୋଷିବି ବୋଲି ପଚାରିବା ସାଙ୍ଗକୁ ଆତ୍ମାହୁତି ଧମକ ଦେଇଛନ୍ତି । 

Advertisment

ସେହିପରି ବାଲେଶ୍ୱର ବସ୍ତା ଅଂଚଳର ରଞ୍ଜିତ ମାନା ଅଭିଯୋଗ ପ୍ରକୋଷ୍ଠରୁ ବାହାରି ଚିରି ଦେଇଛନ୍ତି ମିଳିଥିବା ପ୍ରତିଶ୍ରୁତି ପତ୍ର । ଦିବ୍ୟାଙ୍ଗ ରଞ୍ଜିତ ପୂର୍ବରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୫ ପ୍ରତିଶତ କରିଦେଇ ଭତ୍ତା କମେଇ ଦିଆଯାଇଛି । ଯେଉଁଥିପାଇଁ ବାରମ୍ବାର ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦେଖା କରି ଜଣାଇଥିଲେ ବି ସମାଧାନ ହୋଇନାହିଁ । ତେଣୁ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏ ବାବଦରେ ତିନିଥର ଜଣାଇଥିଲେ ବି କିଛି ଫଳ ମିଳିନି । ବରଂ ଅଭିଯୋଗ ଶୁଣାଣି କରି ଖୋଦ ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ ଯିବାକୁ । ତେଣୁ ଜିଲ୍ଲାପାଳଙ୍କ ପାଖରୁ ନିରାଶ ଫେରିଥିବା ଲୋକ ଅତି କଷ୍ଟରେ ପ୍ଲାଟଫର୍ମରେ ଶୋଇ ଏହି ଅଭିଯୋଗ ପ୍ରକୋଷ୍ଠକୁ ଆସି ଦୁଃଖ ଜଣାଇବା ପରେ ପୁଣି କାହିଁକି ସେଠାକୁ ଯିବ ବୋଲି ସେ କହିବା ସାଙ୍ଗକୁ ଦୁଃଖ ପ୍ରକାଶ କରି ଫେରି ଯାଇଛନ୍ତି ।