କନକ ବ୍ୟୁରୋ : ଗୁମର ଖୋଲିଦେଲା ସିଏଜି ରିପୋର୍ଟ : ବଢୁଛି ରାଜ୍ୟ ବଜେଟ୍ର କଳେବର, ତଥାପି ଖର୍ଚ୍ଚ ହୋଇପାରୁନି ଅନୁଦାନ । ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ଏଭଳି ବିଚିତ୍ରାବସ୍ଥା । ପ୍ରତିବର୍ଷ ହଜାର ହଜାର କୋଟିର ବଜେଟ୍ ଆସୁଛି । କିନ୍ତୁ ବିଭିନ୍ନ କାରଣ ପାଇଁ ଏ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନି । ଗୋଟିଏ ପଟେ ସରକାର ୟୁସି ପାଉନାହାନ୍ତି । ଅନ୍ୟପଟେ ବଜେଟ୍ ଅନୁଦାନ ଖର୍ଚ୍ଚ ନ ହେବାରୁ ବିକାଶ ବି ଅଧାରେ ଆଣ୍ଠଉଛି । ବିନିଯୋଗ ପ୍ରମାଣପତ୍ର ବା ୟୁସି ଦାଖଲ ବାଧ୍ୟତାମୂଳକ ହୋଇଥିଲେ ବି ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୧୨,୩୬୧ କୋଟି ଟଙ୍କାର ୧୧ ହଜାର ୧୪ଟି ୟୁସି ଦାଖଲ କରାଯାଇନାହିଁ । ସେହିପରି ୨୦୨୩-୨୪ରେ ୪୩,୨୭୩ କୋଟି ଟଙ୍କାର ବ୍ୟୟକୁ ପୁଞ୍ଜି ବ୍ୟୟ ଭାବେ ଦର୍ଶାଯାଇଥିଲା । କିନ୍ତୁ ସମୀକ୍ଷା ବେଳେ ସେଥିରୁ ୪୫୬୪ କୋଟି ଟଙ୍କାକୁ ରାଜସ୍ବ ବ୍ୟୟ ଭାବେ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । ବ୍ୟୟର ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ପାଇଁ ରାଜସ୍ବ ବଳକା ଅଧିକ ହୋଇଥିବା ଦର୍ଶାଇଛନ୍ତି ସିଏଜି ।
୨୦୨୩-୨୪ ଲାଗି ସରକାର ୨,୬୭,୫୩୩ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ବର୍ଷ ଶେଷରେ ବ୍ୟୟ ୨,୦୭,୬୯୭ କୋଟି ଟଙ୍କା ହୋଇଥିଲା । ଫଳରେ ବଜେଟ୍ରେ ଧାର୍ଯ୍ୟ କରାଯାଇଥିବା ୫୯,୮୫୬.୦୯ କୋଟି ଟଙ୍କାକୁ ସରକାର ଖର୍ଚ୍ଚ କରିପାରିନଥିଲେ । ଯୋଜନା ଓ ସଂଯୋଜନା ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ବଜେଟ୍ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୫୦ ପ୍ରତିଶତରୁ କମ୍ ରହିଥିଲା । କାହିଁକି ଖର୍ଚ୍ଚ ହୋଇପାରୁନି ବଜେଟ୍ ଅନୁଦାନ, ତାହାର ବିଭିନ୍ନ କାରଣ ସାମ୍ନାକୁ ଆସୁଛି ।
୧- ମାନବ ସମ୍ବଳ
୨- ମ୍ୟାଚିଂ ଗ୍ରାଣ୍ଟ
୩- ଯୋଜନା ଓ କାର୍ଯ୍ୟକାରିତା
୪- ତୃଣମୂଳରେ ଆକଳନ
୫- ଖର୍ଚ୍ଚ ପୂର୍ବର ହିସାବ
୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ମୋଟ୍ ବ୍ୟୟ ୧,୨୦,୬୭୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୯୪,୮୯୫ କୋଟି ଟଙ୍କା ହୋଇଛି । କିନ୍ତୁ ଧାର୍ଯ୍ୟ ସମୟ ଭିତରେ କାମ ନସାରିବା ଯୋଗୁଁ ବିକାଶ ବାଟବଣା ହେଉଛି ।