କନନ ବ୍ୟୁରୋ : ଚାଷୀଙ୍କ ପାଇଁ କାଳିଆ, ସବୁ ଗାଁକୁ ରାସ୍ତା, ସ୍ମାର୍ଟ ସିଟି ଯୋଜନା ସହ ଖଣି କ୍ଷେତ୍ରରେ ବ୍ୟାପକ ସଂସ୍କାର କଥା କହି ରାଜ୍ୟ ବିକାଶର ସ୍ୱପ୍ନ ଦେଖାଉଥିଲେ ପୂର୍ବ ସରକାର। ହେଲେ ବିଜେଡି ସରକାରଙ୍କ ସ୍ୱଚ୍ଛ ଶାସନରେ ଲାଗିଥିବା କଳଙ୍କର ଟିକା ଦାଉ ଦାଉ ହୋଇ ଦେଖାଯାଉଛି । ସିଏଜିଙ୍କ ରିପୋର୍ଟ ପରେ ପୂର୍ବ ବିଜେଡି ସରକାରଙ୍କ ଅଡୁଆ ବଢିଛି । ରାଜ୍ୟରେ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ୨୦୧୯ରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ହେଲେ ଏହି ଯୋଜନାରେ ସବୁ ନିୟମକୁ ମୋଡ଼ିମକଚି ଦିଆଯାଇଥିଲା । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ କାଳିଆ କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି ।
‘କାଳିଆ’ କେଳେଙ୍କାରୀ
୧୨ ଲକ୍ଷ ୭୨ ହଜାର ଅଯୋଗ୍ୟଙ୍କୁ ବାଣ୍ଟିଥିଲେ ୭୮୨ କୋଟି ୨୬ ଲକ୍ଷ ଟଙ୍କା
୪ ଚକିଆ ମାଲିକ, ଚାକିରିଆ, ଆୟକରଦାତାଙ୍କୁ କାଳିଆ ଟଙ୍କା ବଣ୍ଟା ଯାଉଥିଲା
ବିନା ପ୍ରଶିକ୍ଷଣରେ ୧୪ ଲକ୍ଷ ୪ ହଜାର ଭୂମିହୀନଙ୍କୁ ୩ଟି କିସ୍ତିରେ ଟଙ୍କା ଦିଆଯାଇଥିଲା
ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି କହିଛନ୍ତି। ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ। କିନ୍ତୁ
୨୦୫୭ ଗାଁକୁ ନାହିଁ ରାସ୍ତା
କେଉଁଠି ସଡ଼କ ନିର୍ମାଣ ହେବ ଜେଇ ନିଜେ ସ୍ଥିର କରୁଥିଲେ
ଏଥିପାଇଁ କୌଣସି ସର୍ଭେ ମଧ୍ୟ ହେଉନଥିଲା
ମୋଟ୍ ୨ ହଜାର ୫୭ ଗାଁକୁ ଆଦୌ ରାସ୍ତା ନାହିଁ ବୋଲି ସିଏଜି କହିଛନ୍ତି
ଚାରି ଲେନ୍ ବିଶିଷ୍ଟ ୬୩୭.୭୨ କିଲୋମିଟରର ବିଜୁ ଏକ୍ସପ୍ରେସ୍ ୱେ’ କାର୍ୟ୍ୟକାରିତାରେ ହୋଇଥିବା ଅନେକ ତ୍ରୁଟି ବିଚ୍ୟୁତିକୁ ମଧ୍ୟ ଧରିଛନ୍ତି ସିଏଜି ।
ଖଣି ରାଜସ୍ବ ସମ୍ପର୍କିତ ଅଡିଟ୍ ରିପୋର୍ଟରେ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଖଣି ରୟାଲ୍ଟି ଓ ପ୍ରିମିୟମ୍ ଏଡ଼ାଇବାକୁ ହୋଇଥିବା ଅନିୟମିତତାକୁ ଧରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ।
ଗିଳିଦେଲେ ୧୪,୪୫୭ କୋଟି ଖଣି ଟଙ୍କା
୧୪ ହଜାର ୪୫୭ କୋଟି ଟଙ୍କାର ଖଣି ରାଜସ୍ବ ପାଇବାରୁ ବଞ୍ଚିତ ରାଜ୍ୟ ସରକାର
ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇଥିବାରୁ ୪,୧୬୨ କୋଟି ୭୭ ଲକ୍ଷ ରାଜସ୍ବ ହାନୀ
ଲୁହାପଥର ଗୁଣ୍ଡକୁ ସ୍କ୍ରିନ୍ ଫାଇନ୍ ଦର୍ଶାଥିବାରୁ ୧୦, ୨୯୪ କୋଟି ୨୪ ଲକ୍ଷ ଟଙ୍କାର ରାଜସ୍ବ ହାନୀ
ଯୋଜନା ପ୍ରସ୍ତୁତି ଓ ସମ୍ବଳ ସଂଗ୍ରହରେ ଦୁର୍ବଳତା ପାଇଁ ସ୍ମାର୍ଟସିଟି ପ୍ରକଳ୍ପ ଫେଲ ମାରିଲା। ଭୁବନେଶ୍ବରରେ ୬୪ ପ୍ରତିଶତ ଓ ରାଉରକେଲାରେ ୬୩ ପ୍ରତିଶତ କାର୍ୟ୍ୟ କରା ଯାଇପାରିନଥିଲା। ଫଳରେ ସହରବାସୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଥିବା ସିଏଜି ଜଣାଇଛନ୍ତି। ଦୁର୍ନୀତିର ଏହି ମାଳମାଳ ତଥ୍ୟ ନବୀନ ସରକାରଙ୍କ ସ୍ୱଚ୍ଛ ଶାସନର ଅସଲ ମୁଖା ଖୋଲି ଦେଇଛି ।