କନକ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା। ଲୋକଙ୍କ ସୁବିଧା ଯାତାୟତ ପାଇଁ ବ୍ୟବସ୍ଥା କରାଗଲା ହେଲେ ଫଳ ଶୂନ । ଲୋକଙ୍କ ସୁବିଧା ପାଇଁ କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଠିକାଦାର ଓ କିଛି ଅଧିକାରୀଙ୍କ ପାଇଁ ଯୋଜନାର ସୁଫଳ ନୁହେଁ କୁଫଳ ଭୋଗିବାକୁ ପଡୁଛି । ପ୍ରତିଦିନ ଲୋକେ ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବାଇପାସ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି। ନିମ୍ନମାନର କାମ ଯୋଗୁଁ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ବଡ଼ବଡ଼ ଗାଡ଼ି ଠିଆ ହୋଇ ରହୁଛି। ଖାଲରେ ମାଲବାହି ଟ୍ରକ ଗଳି ପଡୁଛି । ତାକୁ ଉଠାଇବା ପାଇଁ ନାକେଦମ୍ ହେବାକୁ ପଡୁଛି। ଏପଟେ ଯାତ୍ରୀଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ଉପରେ ତରଭା ବ୍ଲକର ୩ଟି ପଞ୍ଚାୟତବାସୀ ନିର୍ଭର କରନ୍ତି। ପାଣିମୋରା ଇଥାନଲ ଫ୍ୟାକ୍ଟ୍ରିକୁ ଦୈନିକ ଶହ ଶହ ଭାରିଯାନ ଯାତାୟତ କରୁଛି। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ବାଇପାସ କାମ ସରିବା ପରେ ଏନଏସି ପକ୍ଷରୁ ଭୂତଳ ଡ୍ରେନ ପାଇଁ ରାସ୍ତା ଖୋଳାଯାଇଛି। ତାହା ପୋତା ନହେବାରୁ ସମସ୍ୟା ବଢ଼ିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ କହୁଛନ୍ତି ଲୋକଙ୍କ ସୁବିଧା ପାଇଁ କାମ କରୁଛନ୍ତି । ପ୍ରଶାସନିକ ସ୍ତରରେ କିଛି ଅସାଧୁ ଅଧିକାରୀ, ପିସି ନେଇ ଠିକାଦାର ପୋଷୁଥିବାରୁ ସ୍ଥାନୀୟ ବାସିନ୍ଦା ଏଭଳି ଦୁର୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ ସହ ନିମ୍ନମାନର କାମର ତଦନ୍ତ ଜରୁରୀ।
Follow Us