କନକ ବ୍ୟୁରୋ :  ବୃଦ୍ଧ ଜେଜେ, ଜେଜେ ମା’ଙ୍କ କାନ୍ଧରେ ନାତି ନାତୁଣୀଙ୍କ ବୋଝ। ପୁଅ ଚାଲିଗଲା ପରେ ବୋହୂ ବି କୁଆଡେ ଚାଲିଯାଇଛି ।  ଭଙ୍ଗାରୁଜା କୁଡ଼ିଆ ଘରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ଆଉ ଶୈଶବ କଟୁଛି ଅତି ଦୁଃଖରେ । ବୟସର ଅପରାହ୍ନରେ ୬ ନାତି, ନାତୁଣୀଙ୍କ ମୁହଁରେ ଦାନା ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି କାମାକ୍ଷାନଗର ଏହି ୮୦ ବର୍ଷୀୟ ବୃଦ୍ଧ ଦମ୍ପତି। କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତର ଲେମ୍ବୁପାଳ ଗାଁର ବୃଦ୍ଧ ଦମ୍ପତି ସୁନାରାମ ସୋରେନ ଓ ଆରସୁ ସୋରେନ। ଏହି ବୟସରେ ଦେହରେ ବଳ ନଥିଲେ ବି ନାତି, ନାତୁଣୀଙ୍କ ଦାୟିତ୍ବ କାନ୍ଧେଇଛନ୍ତି । ମୁଠାଏ ଦାନା ପାଇଁ ରୀତିମତ ସଂଘର୍ଷ କରୁଛନ୍ତି।

Advertisment

ସରକାରୀ ସହାୟତା ନାଁରେ ଖାଲି ଭତ୍ତା ଟଙ୍କା ମିଳୁଛି। ପୁଅ ଚାଲିଗଲା ପରେ ରାସନକାର୍ଡରେ ଚାଉଳ ମିଳିବା ବନ୍ଦ ହୋଇଯାଇଛି। ଏପରି ସ୍ଥିତିରେ କେମିତି ପରିବାର ଚଳିବ? ପିଲାମାନେ କେମିତି ପାଠ ପଢ଼ିବେ? ଏହି କଥା ଭାବି ଭାବି ବୃଦ୍ଧ ଦମ୍ପତିଙ୍କ ନିଦ ହଜି ଯାଇଛି। ୨ ଜଣ ପିଲା ଆଶ୍ରମ ସ୍କୁଲରେ ପଢ଼ୁଛନ୍ତି। ଅନ୍ୟମାନଙ୍କର ଆଧାର କାର୍ଡ ନାହିଁ। ସେମାନେ ପାଠ ପଢ଼ାରୁ ବଞ୍ଚିତ ହୋଇଛନ୍ତି । ଏହି ଅଭାବୀ ପରିବାରକୁ କିଛି ସାହାଯ୍ୟ ମିଳିଛି । ପିଲାଙ୍କ ଆଧାର କାର୍ଡ କିପରି ହେବ ସେମାନେ କିପରି ପଢି ପାରିବେ ସେ ନେଇ ଚେଷ୍ଟା ଜାରି ରହିଛି ।  ପ୍ରଶାସନ ପକ୍ଷରୁ ଏହି ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ଯୋଗାଯିବା ସହିତ ଏହି ଅସହା ପିଲା ମାନଙ୍କୁ ସାହାଯ୍ୟ ଯୋଗାଯାଇପାରିଲେ ପୁରା ପରିବାର ଉପକୃତ ହୋଇପାରିବେ ।