କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ସରକାରୀ ସମ୍ପତ୍ତି ଖତରେ ପଡ଼ିଥିବା ଅଭିଯୋଗ । ହଜାର ହଜାର କୋଟି ଟଙ୍କାର ସରକାରୀ ବାସଗୃହ ଓ କାର୍ଯ୍ୟଳୟ ବ୍ୟବହାର ନ ହୋଇ ପଡ଼ି ରହିଛି । ଯାହା ଉପରେ ମାଫିଆଙ୍କ ନଜର । କିଏ ଜବରଦଖଲ କରିଛି ତ, ଆଉ କେଉଁଠି ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି । ଏସବୁ ଏବେ ସରକାରଙ୍କ ଦୃଷ୍ଟି ଅଡ଼ୁଆଳରେ । 

Advertisment

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ସମ୍ପତ୍ତି ଉପରେ ଏବେ ମାଫିଆଙ୍କ ନଜର । ବ୍ୟବହାର ହେଉନଥିବାରୁ ବିଭିନ୍ନ ସରକାରୀ ବାସଗୃହ ଓ କାର୍ଯ୍ୟାଳୟ ଏବେ ଜବରଦଖଲ କାରୀଙ୍କ କବଜାରେ । କେଉଁଠି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସରକାରୀ ବାସଭବନ ପଡ଼ିରହିଛି ତ ଆଉ କେଉଁଠି ଭଡ଼ାରେ ଲାଗିଛି । ସବୁଠୁ ବଡ଼ କଥାହେଲା ଏହି ସରକାରୀ କୋଠା ଗୁଡ଼ିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଜିଲ୍ଲାପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଥିବାରୁ ଜମି ମାଫିଆ ଓ ବ୍ୟବସାୟୀ ନିଜ ଅକ୍ତିଆରକୁ ନେଇ ମନ୍‌ମାନି ଚଳାଉଥିବା ଅଭିଯୋଗ ହୋଇଛି ।

ସରକାରୀ ତଥ୍ୟ କହୁଛି ସହରର ୧ଲକ୍ଷ ୪୨ହଜାର ସ୍କୋୟାର ମିଟର ଜମିରେ ଆବାସିକ କାର୍ଯ୍ୟାଳୟ ଓ ୫ ଲକ୍ଷ ୨୨ହଜାର ସ୍କୋୟାର ମିଟର ଜମିରେ ପୂର୍ତ୍ତ ବିଭାଗ ଗୃହ ନିର୍ମାଣ କରି ରାଜସ୍ୱ, ପଶୁ ଚିକିତ୍ସା, ବାଣିଜ୍ୟକର ଓ ବନ ବିଭାଗ ଭଳି ବିଭିନ୍ନ ବିଭାଗକୁ ହସ୍ତାନ୍ତର କରିଛି । ହେଲେ ସେଥିରୁ କିଛି ବାସ ଗୃହରେ କେହି କର୍ମଚାରୀ ରହୁନଥିବା ବେଳେ, ଆଉ କିଛି ଭଡ଼ାରେ ଲାଗିଥିବା ଅଭିଯୋଗ ହୋଇଛି । ବାକି ସବୁ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଯାହା ଅସାମାଜିକଙ୍କ କବଜାରେ । ଖୁବ ଶୀଘ୍ର ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ । ପ୍ରତିଶୃତି ମିଳିଲା ଏବେ ଅପେକ୍ଷା କେବେ ଏସବୁ ସରକାରୀ ବାସଗୃହ କାର୍ଯ୍ୟକ୍ଷମ ହେବ, କେବେ ଜବରଦଖଲ ମୁକ୍ତ ହେବ ।