କନକ ବ୍ୟୁରୋ: ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗଇବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ । ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବନ୍ଦ ପଡ଼ୁଛି। ଆଉ ଚୁପ୍ ବସିଛି ପ୍ରଶାସନ ।
ବିଲେଷୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଗାଜିଙ୍ଗା ପଞ୍ଚାୟତର ପାଖାପାଖି ୬ଟି ଗାଁ ଏହା ଉପରେ ନିର୍ଭରଶୀଳ । ବାହାର ସୁନ୍ଦରତା ଦେଖି ଆପଣଙ୍କ ଲାଗୁଥିବା ଏଠାକାର ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି । ହେଲେ ଆପଣଙ୍କ ଧାରଣା ଭୁଲ୍। ଦୀର୍ଘ ୩ ବର୍ଷ ହେଲାଣି ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି । ନା ଡାକ୍ତର ଆସୁଛନ୍ତି ନା ନର୍ସ । ସେମିତି ସିଗୁରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । କାରୁବାଇ ପଞ୍ଚାୟତର ୫ଟି ଗାଁ ନିର୍ଭର କରୁଥିବା ଏହି କେନ୍ଦ୍ରର ବି ସମାନ ଅବସ୍ଥା । ୧୦ ବର୍ଷ ହେଲାଣି ତାଲା ପଡ଼ିଛି। ଅନାବନା ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ରଙ୍ଗ ମାରି ବିଜୁଳି ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ହେଲେ ଡାକ୍ତରଙ୍କ ଦେଖା ନାହିଁ ।
ଦୁର୍ଗାପାଡୁ ଆରୋଗ୍ୟ ମନ୍ଦିରର ବି ସମାନ ଅବସ୍ଥା । ଦୀର୍ଘ ୩ ବର୍ଷ ହେଲାଣି ତାଲା ପଡ଼ିଥିବାରୁ ଅସୁବିଧା ଭୋଗୁଛନ୍ତି ଦୁର୍ଗାପାଡ଼ୁ ପଞ୍ଚାୟତର ୭ଟି ଗାଁର ଲୋକ । ଦିନ ତ ଦିନ ରାତିରେ ଯଦି କାହାର ଦେହ ଖରାପ ହୋଇଗଲେ ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼େ । ୧୩ କିମି ଜାଙ୍ଗିଲି ଆରୋଗ୍ୟ ମନ୍ଦିରକୁ ନେବାକୁ ପଡ଼େ । ନହେଲେ ୩୫ କିମି ଦୂର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭରସା । ସ୍ୱାସ୍ଥ୍ୟସେବା ଯୋଗାଇପାରୁନଥିବା ଏହି ବନ୍ଦ କୋଠା ଗୁଡ଼ିକୁ କାହା ସ୍ବାର୍ଥରେ ପ୍ରତିବର୍ଷ ରଙ୍ଗ ମରା ଚାଲିଛି ତାହା ଏକ ପ୍ରଶ୍ନ ।