କନକ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ବଜେଟକୁ ବିଭିନ୍ନ ବର୍ଗର ଲୋକେ ସରକାରଙ୍କ ଉପରେ ଭିନ୍ନ ଭିନ୍ନ ଆଶା ରଖିଛନ୍ତି । ହେଲେ ଏଥର ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିବାରୁ ରାଜ୍ୟବାସୀ କେନ୍ଦ୍ର ବଜେଟରୁ କିଛି ଭଲ ପାଇବାକୁ ଆଶା ରଖିଛନ୍ତି । ସବୁଠାରୁ ଅଧିକ ଆଶା ରହିଛି ରାଜ୍ୟର ରେଳ ବଜେଟକୁ ନେଇ । କାରଣ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଛି । ଏବଂ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓଡିଶା କୋଟାରୁ ରାଜ୍ୟସଭାକୁ ଯାଇଥିବାରୁ ରାଜ୍ୟବାସୀ ଅଧିକ ଆଶା କରିଛନ୍ତି । 

Advertisment

କେବେ ସାଧାରଣ ବଜେଟ ସହ ମିଶିଲା ରେଳ ବଜେଟ ?
ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଉପସ୍ଥାପନ ହେଉଥିଲା । ମାତ୍ର ୨୦୧୬-୧୭ ଆର୍ଥିକ ବର୍ଷରୁ ସାଧାରଣ ବଜେଟ ସହ ରେଳ ବଜେଟକୁ ମିଶାଇ ଦିଆଗଲା । ୨୦୧୭-୧୮ ରେ ତତ୍କାଳୀନ ଅର୍ଥମନ୍ତ୍ରୀ  ସ୍ୱର୍ଗତ ଅରୁଣ ଜେଟଲୀ ସାଧାରଣ ବଜେଟ ସହ ରେଳ ବଜେଟକୁ ମିଶାଇ ଉପସ୍ଥାପନ କରିଥିଲେ । ସେବେଠାରୁ ରେଳ ବଜେଟ ଓ ସାଧାରଣ ବଜେଟ ମିଳିତ ଭାବେ ଉପସ୍ଥାପିତ ହେଉଛି ।

କେଉଁ ବର୍ଷ ରେଳ ବଜେଟରେ ଓଡିଶାକୁ କେତେ ମିଳିଥିଲା ଅନୁଦାନ ?
ରେଳ ବଜେଟକୁ ଯଦି ଆକଳନ କରାଯାଏ ତେବେ ୨୦୦୯ ରୁ ୨୦୧୪ ମସିହା ମଧ୍ୟରେ ରେଳ ବଜେଟରେ ଓଡିଶାକୁ ହାରାହାରି ବାର୍ଷିକ ୮୩୮ କୋଟି ଟଙ୍କା ଅନୁଦାନ ମିଳିଥିଲା । ହେଲେ ୨୦୧୪-୨୦୧୯ ମଧ୍ୟରେ ଓଡିଶାକୁ ବାର୍ଷିକ ହାରାହାରି ୪୧୨୬ କୋଟି ଟଙ୍କା ଲେଖାଏଁ ମିଳିଛି । ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସୂଚନା ମୁତାବକ ୨୦୦୯ ରୁ ୨୦୧୪ ଭିତରେ ଓଡିଶାରେ ବାର୍ଷିକ ୫୩ କିଲୋମିଟର ନୂଆ ରେଳ ଲାଇନ ପ୍ରକଳ୍ପ ଦିଆଯାଇଥିଲା । ହେଲେ ୨୦୧୪ ରୁ ୨୦୨୪ ମଧ୍ୟରେ ବାର୍ଷିକ ହାରାହାରି ୧୮୩ କିଲୋମିଟର ନୂଆ ରେଳ ଲାଇନ ନିର୍ମାଣ ହେଉଛି । 

କେଉଁ ବର୍ଷ କେତେ ଅନୁଦାନ ?
୨୦୧୯-୨୦: ୪୫୬୮ କୋଟି
୨୦୨୦-୨୧: ୫୨୯୬ କୋଟି
୨୦୨୧-୨୨: ୬୪୭୧ କୋଟି
୨୦୨୨-୨୩: ୯୭୩୪ କୋଟି
୨୦୨୩-୨୪: ୧୦୦୧୨ କୋଟି 
୨୦୨୪-୨୫: ୧୦୫୩୬ କୋଟି 

କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ଭାରତୀୟ ରେଳ ବିଭାଗ ତରଫରୁ ଓଡିଶା ରେଳବାଇର ବିକାଶ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି । ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ରେଳ ବଜେଟରେ ଅଧିକ ଅନୁଦାନ ପ୍ରଦାନ କରାଯାଇଛି । ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ସରକାର ପରିବର୍ତ୍ତନ ହୋଇଛି । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଛି ଓ ଅଶ୍ୱନୀ ବୈଷ୍ଣବ ଓଡିଶାରୁ ସାଂସଦ ଅଛନ୍ତି । ତେଣୁ ଚଳିତ ରେଳ ବଜେଟରେ ଓଡିଶାକୁ ପ୍ରାଧାନ୍ୟ ମିଳିବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି ।