କନକ ବ୍ୟୁରୋ: ଜଗତସିଂହପୁରରେ ପିଶାଚ ପାଲଟିଛି ଜନ୍ମକଲା ପୁଅ । ଗଣ୍ଡଗୋଳ ପରେ ନିଜ ବାପା, ମାଆ ଓ ଭଉଣୀକୁ ହତ୍ୟା କରିଛି । ଅଭିଯୁକ୍ତର ଭାଇଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଅଭିଯୁକ୍ତ ମୋବାଇଲ ଗେମ୍ ଖେଳୁଥିଲା । ସେ ମାନସିକ ବିକୃତ ଥିଲା । ପୁଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି ।
ପୁଅ ଖେଳିଲା ରକ୍ତର ହୋଲି । ମାନିଲାନି ସମ୍ପର୍କ । ବାପା, ମାଆ ଓ ଭଉଣୀକୁ ପଥର ଓ ହେମଦସ୍ତା ପୁଆରେ ଛେଚି ଅତି ନିର୍ମମ ଭାବରେ କଲା ହତ୍ୟା । ସକାଳୁ ସକାଳୁ ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଗାଁର ପ୍ରଶାନ୍ତ ସେଠୀ , ତାଙ୍କ ସ୍ତ୍ରୀ କନକଲତା ଓ ଭଉଣୀ ମାମାଲିକୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପୁଅ ସୂର୍ଯ୍ୟକାନ୍ତ । ସୂର୍ଯ୍ୟକାନ୍ତର ବୟସ ମାତ୍ର ୨୨ ବର୍ଷ । ପାଠସାରି ସେ ଘରେ ରହୁଥିଲା । ଗତକାଲି ରାତିରେ ବାପା, ମାଆ ଓ ଭଉଣୀକୁ ହତ୍ୟା କରିବା ପରେ ପଡିଶା ଘରର ଲୋକଙ୍କୁ ସବୁ କଥା କହିଥିଲା ଓ ଡ୍ରେସ ବଦଳାଇ ଫେରାର ହୋଇଯାଇଥିଲା । ସବୁଦିନେ ବାପା,ମାଆଙ୍କ ସହ ସୂର୍ଯ୍ୟକାନ୍ତର ଝଗଡା ଲାଗିରହୁଥିଲା । ଗତକାଲି ରାତିରେ ଗଣ୍ଡଗୋଳ ପରେ ଏଭଳି ଚରମ ପଦକ୍ଷେପ ନେଇଥିଲା ସୂର୍ଯ୍ୟ ।
ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ପଚରାଉଚରା ପରେ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ତେବେ ସୂର୍ଯ୍ୟଙ୍କ ଭାଇଙ୍କ କହିବା କଥା ହେଲା, ସୂର୍ଯ୍ୟକାନ୍ତ କିଛିଦିନ ହେଲା ମୋବାଇଲ ଗେମ୍ ଖେଳୁଥିଲା । ତା’ର ମାନସିକ ବିକୃତି ଥିଲା । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତ ମାନସିକ ରୋଗୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପ୍ରଶାନ୍ତ ସେଠୀ ଜଗତସିଂହପୁର ବଜାରରେ ଲଣ୍ଡ୍ରିକାମ କରି ପରିବାର ଚଳାଉଥିଲେ । କିନ୍ତୁ ପୁଅ ହିଁ ବାପା, ମାଆଙ୍କ ଜୀବନ ନେବ ତାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।