କନକ ବ୍ୟୁରୋ :ବିପଦସଙ୍କୁଳ ଅବସ୍ଥାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପାତ୍ରପୁଟ ଠାରେ ଥିବା ବ୍ରିଟିଶ ଅମଳର ଲୁହା ପୋଲ । ପ୍ରଶାସନର ଉଦାସୀନତା କାରଣରୁ ଆଜି ଯାଏଁ ଏହାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଐତିହାସିକ ପୋଲର ସୁରକ୍ଷା ଓ ନୂତନ ପୋଲ ପାଇଁ ଦାବି କହିଛନ୍ତି ପାତ୍ରପୁଟ ଅଞ୍ଚଳବାସୀ । ବ୍ରିଟିଶ ଅମଳର ପୋଲ...ଓଡ଼ିଶା ସହ ଆନ୍ଧ୍ର, ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଯୋଡୁଥିବା ରାସ୍ତାର ଏହି ପୋଲ ବିପଦରେ ପଡ଼ିଛି ।  ପୋଲରେ ବଡ଼ ବଡ଼ ଖାଲଖମା , ଲୁହା ସବୁ କଳଙ୍କି ଲାଗିଲାଣି । ଭାରି ଯାନ ଗଲେ ଥରିଯାଉଛି ପୋଲ । କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ । ୧୯୩୧ ମସିହାରେ କୋରାପୁଟ ପାତ୍ରପୁଟରେ ଇଂରେଜ ତିଆରି କରିଥିବା ଏହି ପୋଲ କିଛି ଦିନ ପରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ପ୍ରାଶାସନିକ ଉଦାସୀନତାରୁ ଐତିହାସିକ ପୋଲ ବିପଦ ସଙ୍କୁଳ ହୋଇପଡ଼ିଛି ।

Advertisment

ରାଞ୍ଚି-ବିଜୟୱାଡ଼ା କରିଡର ରାସ୍ତାରେ ବିନା ପିଲାରରେ ୪ଟି ଜ୍ୟାକ୍ ଉପରେ ଛିଡ଼ା ହୋଇଛି ଲୁହା ପୋଲ । ହାୱଡା ବ୍ରିଜ ଶୈଳୀରେ ନିର୍ମିତ ଏହି ପୋଲରେ ବିପଦ ବାରିବା ପରେ ବ୍ରିଜ୍‌ ନିକଟରେ ଆଉ ଏକ ପୋଲ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଥିଲା । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୨୧ କୋଟି ଟଙ୍କା ବ୍ୟୟ ଅଟକଳର ଏକ ଟେଣ୍ଡର ହୋଇଥିଲା,ଅବଧି ସରିଗଲା କିନ୍ତୁ କାମ ହେଲାନି । ଏବେ ପୁଣି ନୂଆ ଟେଣ୍ଡର କରି ପୋଲ ନିର୍ମାଣ କରିବାକୁ ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି ବିଭାଗୀୟ ଅଧିକାରୀ କହିଛନ୍ତି । ଓଡ଼ିଶାରୁ ଝାଡ଼ଖଣ୍ଡ, ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗର ମାଧ୍ୟମ ପାଲଟିଥିବା ଇଂରେଜ ଅମଳର ଏହି ପୋଲର ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।