କନକ ବ୍ୟୁରୋ : ବିପଦସଙ୍କୁଳ ବ୍ରିଟିଶ ଅମଳ ବ୍ରିଜ। ୧୯୧୬ରେ ଇଂରେଜ ଶାସନ ସମୟରେ ଭଦ୍ରକର ରାଜଘାଟ ବ୍ରିଜ ନିର୍ମାଣ ହୋଇଥିଲା। ଏହା ଉପରେ ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର, ଚରମ୍ପା, ପୁରୁଣା ବଜାର ଓ ଭଦ୍ରକର ସମସ୍ତ ପୌରଞ୍ଚଳ ସହ ଗ୍ରାମାଞ୍ଚଳର ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଲୁହା ବ୍ରିଜଟିର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆଉ ଏହାର ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।
ଭଦ୍ରକବାସୀଙ୍କ ଦୀର୍ଘ ଦିନର ଦାବି ପରେ ୨୦୦୬ରେ ପୂର୍ବ ସରକାର ପୁରୁଣା ପୋଲ ପାଖରେ ସାଳନ୍ଦୀ ସେତୁ ନାଁରେ ଏକ ନୂତନ ବ୍ରିଜ ନିର୍ମାଣ କରିଛନ୍ତି। ହେଲେ ଭଦ୍ରକର ବଢ଼ୁଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି। ଏତେ ସଂଖ୍ୟକ ଲୋକ ଗୋଟିଏ ବ୍ରିଜରେ ଯିବା କାରଣରୁ ଭିଡ଼ ରହୁଛି। ତେଣୁ ଲୁହା ପୋଲର ମରାମତି ଦାବି ଜୋର ଧରିଛି । ଖୁବଶୀଘ୍ର ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।
ବ୍ରିଜଟିର ମରାମତି ପାଇଁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବିଧାନସଭାରେ ଉଠାଇଛନ୍ତି। ତେବେ କେବେ ଏହି ବ୍ରିଜର ଭାଗ୍ୟ ବଦଳିବ ତାକୁ ନେଇ ପ୍ରଶ୍ନ ଉଠିଛି।