କନକ ବ୍ୟୁରୋ: ଲୋକଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ନିର୍ମାଣ ହେଲା ବ୍ରିଜ୍ । ହେଲେ କାମ ଏତେ ନିମ୍ନମାନର ଯେ ଉଦଘାଟନ ଯାଏଁ ବି ବ୍ରିଜ୍ ତିଷ୍ଠି ପାରିଲାନି । ନିର୍ମାଣ ଅଳ୍ପ କେଇଟା ଦିନରେ ହିଁ ଭୁଷୁଡ଼ିବା ଅବସ୍ଥାରେ ବ୍ରିଜ୍ ।
ଅସ୍ତରଙ୍ଗ ବ୍ଲକର ଛୁରିଅନା ପଞ୍ଚାୟତର କାଦୁଅ ନଦୀ ଉପରେ ନିର୍ମାଣ ହୋଇଛି ପାପୀରା ସେତୁ । ୨୦୨୨ରେ ଡ୍ରେନେଜ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ ଏବେ ଭୁଷୁଡ଼ିବା ଅବସ୍ଥାରେ । ବ୍ରିଜ୍ଟି ଅଧାରୁ ଦବି ଗଲାଣି । କଂକ୍ରିଟରେ ହାତ ମାରିଲେ ଖଣ୍ଡ ଖଣ୍ଡ ହୋଇ ଗଳିପଡ଼ୁଛି । ବ୍ରିଜ୍ର ନିମ୍ନଭାଗ ପିଲାର ନିର୍ମାଣରେ ୨୫ ଏମ୍ଏମ୍ ଲୁହାଛଡ଼ ବଦଳରେ ୧୦ ଏମ୍ଏମ୍ ଲୁହାଛଡ଼ ବ୍ୟବହାର ହୋଇଛି । ଫଳରେ ସେଗୁଡିକ କଳଙ୍କି ଲାଗି ଝଡ଼ିବା ଆରମ୍ଭ କଲାଣି ।
ଛୁରିଅନା ପଞ୍ଚାୟତକୁ ଉତ୍ତର ପାଖକୁ କାଦୁଅ ନଦୀ ଓ ଦକ୍ଷିଣ ପାଖକୁ ସମୁଦ୍ର ଘେରି ରହିଛି । ପଞ୍ଚାୟତର ୧୫ଟି ଗାଁର ଗମନାଗମନର ସୁବିଧା ପାଇଁ ଏହି ବ୍ରିଜ୍ଟି ନିର୍ମାଣ କରାଯାଇଥିଲା । ଯାହା ଏବେ ଭାଙ୍ଗିରୁଜି ଗଲାଣି । ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇ ଚୁପ୍ ବସିଛି ପ୍ରଶାସନ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ବ୍ରିଜ୍ କାମର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।