କନକ ବ୍ୟୁରୋ: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୁଃଖଦ ମୃତ୍ୟୁ ଘଟିଛି । ଛାତ୍ରୀଙ୍କ ଦେହାନ୍ତ ଖବର ଆସିବାପରେ ପୂରା ରାଜ୍ୟ ମର୍ମାହତ ହୋଇଛି ଏବଂ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ଭିତରେ ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ।  ପୀଡ଼ିତାଙ୍କୁ ସେହି ସମୟରେ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ । ସେ ଗୁରୁତର ହୋଇ ଏବେ ଆଇସିୟୁରେ ।

Advertisment

ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଏସ୍‌ସିବି ବର୍ଣ୍ଣ ୟୁନିଟ୍‌ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଥିବା ଏସ୍‌ସିବି ଆଇସିୟୁ ୟୁନିଟ୍‌ର ମୁଖ୍ୟ କହିଛନ୍ତି । ଯଦିଓ ଜ୍ୟୋତିପ୍ରକାଶଙ୍କ ଅବସ୍ଥା ସ୍ଥିର ଅଛି, କିନ୍ତୁ ତାଙ୍କ ପ୍ରତି କାହାର ଦୃଷ୍ଟି ନ ପଡ଼ିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇସାରିଥିବା ବେଳେ ଶାସକ - ବିରୋଧୀଙ୍କ କାଦୁଅଫିଙ୍ଗା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତେ ଏକାଠି ହୋଇଛନ୍ତି । ତାଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ମଧ୍ୟ ହୋଇଛି । ହେଲେ, ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତିପ୍ରକାଶଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଘଟଣାଦିନ ଯେତେବେଳେ ଛାତ୍ରୀଙ୍କ ଦେହରେ ନିଆଁ ଲାଗିଲା, ସେହି ସ୍ଥାନରେ ଅନେକ ଛାତ୍ରଛାତ୍ରୀ ଥିଲେ । କିନ୍ତୁ ଗୋଟିଏ କ୍ଷଣ ବି ଚିନ୍ତା ନକରି ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ଜ୍ୟୋତିପ୍ରକାଶ ଆଗେଇ ଯାଇଥିଲେ । ନିଜେ ପୋଡ଼ିହୋଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ।