କନକ ବ୍ୟୁରୋ: ସମ୍ବଲପୁର ମାନେଶ୍ବରରେ ମା’ ଝିଅ ନିଆଁରେ ପୋଡିହେବା ଘଟଣାର ହେଲା ପର୍ଦ୍ଦାଫାସ। ପୁଅ ହିଁ ମା’ ଓ ଭଉଣୀକୁ ହତ୍ୟା କରି ପରେ ନିଆଁ ଲଗାଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଚା କରିଥିଲା। ଏଥିରେ ମୃତ ମହିଳାଙ୍କ ନାତି ମଧ୍ୟ ସହଯୋଗ କରି ବନ୍ଧା ହୋଇ ଜେଲ ଯାଇଛନ୍ତି। ସେପଟେ ପୋଲିସ ଅଭିଯୁକ୍ତ ବାପ ପୁଅକୁ ସାଙ୍ଗରେ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି।
ସବୁ ଥିଲା ନାଟକ, ମିଛ କହିଥିଲା ପୁଅ। ମା’କୁ ମାରି ଦୁନିଆ ଆଗରେ ମିଛ ଅଭିନୟ କରି ସବୁ ଲୁଚାଇବାକୁ ଚେଷ୍ଟା କରୁଥିଲା। ଏପରିକି ମା’ ଓ ଭଉଣୀ ସହ କୌଣସି ମନାନ୍ତର ମଧ୍ୟ ନଥିବା କହି ଖସିଯିବାକୁ ମଧ୍ୟ ଚେଷ୍ଟା କରୁଥିଲା। ହେଲେ ଶେଷରେ ଆଇନ ଜାଲରେ ଛନ୍ଦି ହୋଇଗଲା ଅଭିଯୁକ୍ତ ପୁଅ। ମା’ ଓ ଭଉଣୀକୁ ଶ୍ବାସରୁଦ୍ଧ କରି ମାରିଦେବା ପରେ ନିଆଁ ଲଗାଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଯାହାର ପର୍ଦ୍ଦାଫାସ କରିଛି ପୁଲିସ।
ମୃ୍ତ୍ୟ ଘଟଣାକୁ ହତ୍ୟାରେ ପରିଣତ କରିବା ପାଇଁ ସାଂଘାତିକ ଚାଲ ଖେଳିଥିଲେ ଅଭିଯୁକ୍ତ ଜଗନ୍ନାଥ ଦୀକ୍ଷିତ ଓ ପୁଅ ସଙ୍କେତ। କିପରି ନିଜ ମା’ ଓ ଭଉଣୀକୁ ହତ୍ୟା କରିବାକୁ ରଚିଥିଲା ଷଡ଼ଯନ୍ତ୍ର, ତାହା ସିନ୍ ରିକ୍ରିଏସନ୍ ପରେ ସ୍ପଷ୍ଟ ହୋଇଛି। ପୁଲିସ ଉଭୟ ବାପ-ପୁଅଙ୍କୁ ଆଣି ଘଟଣା ସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। କ୍ରାଇମ୍ ସିନ୍ ରିକ୍ରିଏସନ ସମୟରେ ଘରେ ଗାମୁଛା, ପେଟ୍ରୋଲ ଆଣିଥିବା ବୋତଲ, କେଉଁଠି ଲୁଚାଇଥିଲେ ତାହା ଦେଖାଇଛନ୍ତି ଅଭିଯୁକ୍ତ।
ଏହାସହ ମାନେଶ୍ବର ପେଟ୍ରୋଲ ପମ୍ପରେ ୨୦୦ ଟଙ୍କାର ପେଟ୍ରୋଲ କିଣିଥିବା ସମୟର ସିସିଟିଭି ମଧ୍ୟ ପୁଲିସ ହାତରେ ଲାଗିଛି। ପ୍ରଥମେ ମା’ ସ୍ନେହଲତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା ପରେ ଭଉଣୀ ସୈରେନ୍ଦ୍ରୀଙ୍କୁ ବାପ ଓ ପୁଅ ମିଶି ପେଟ୍ରୋଲ ଢାଳି ହତ୍ୟା କରିଥିଲେ। ତେବେ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି। ନା କେବଳ ୨ଜଣ ହିଁ ମାଷ୍ଟର ମାଇଣ୍ଡ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।