କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଲିଭଇନ ପାର୍ଟନରକୁ ହତ୍ୟା । ୮ ମାସ ଧରି ଫ୍ରିଜରେ ମୃତଦେହ ଲୁଚାଇଥିଲା ଅଭିଯୁକ୍ତ । ମାତ୍ରାଧିକ ବିଦ୍ୟୁତ ବିଲ୍‌ ଆସିବାରୁ ଜଣାପଡ଼ିଲା ଘଟଣା । ଜଣେ ପ୍ରେମିକ କିଭଳି ଏତେ ନିଷ୍ଠୁର ହୋଇପାରେ ? ନିଜ ପ୍ରେମିକାକୁ କିଭଳି ନୃଶଂସ ଭାବେ ହତ୍ୟା କରିପାରେ ? ତାର ଜ୍ବଳନ୍ତ ଉଦାହରଣ ହେଉଛି ଏହି ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ଡେବାସ ଅଞ୍ଚଳରେ ଲିଭ୍‌ ଇନରେ ରହୁଥିଲେ ସଞ୍ଜୟ ପଟିଦାର ଏବଂ ପିଙ୍କି ପ୍ରଜାପତି । ୫ ବର୍ଷ ଧରି ଉଭୟ ଏକାଠି ରହୁଥିଲେ । ତେବେ ୨୦୨୪ରେ ପିଙ୍କି ବିବାହ ପାଇଁ ଚାପ ପକାଇବାରୁ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ସହଯୋଗୀ ବିନୋଦ ସହ ମିଶି ପିଙ୍କିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ପରେ ଫ୍ରିଜ୍‌ ଭିତରେ ମୃତଦେହକୁ ଲୁଚାଇ ରଖିଥିଲେ । ତେବେ ବାରମ୍ବାର ବିଜୁଳି ବିଲ୍‌ ଅଧିକ ଆସୁଥିବାରୁ ସଞ୍ଜୟ ରହୁଥିବା ରୁମର ତାଲା ଭାଙ୍ଗି ଫ୍ରିଜ୍‌ ବନ୍ଦ କରିଥିଲେ ପାଖ ରୁମରେ ରହୁଥିବା ଭଡ଼ାଟିଆ । ଏହାପରେ ଦୁର୍ଗନ୍ଧ ହେବାରୁ ସାମ୍ନାକୁ ଆସିଥିଲା ସତ । ପୋଲିସ ମୃତଦେହ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଛି । 

Advertisment

ଦିଲ୍ଲୀ ଗାଜିଆବାଦରେ ମଧ୍ୟ ପ୍ରେମ ପାଇଁ ଗଲା ଜୀବନ । ସ୍ବାମୀଙ୍କ ଆତ୍ମହତ୍ୟା ପରେ ଝୁଲିପଡ଼ିଲେ ସ୍ତ୍ରୀ । ଶୁକ୍ରବାର ଦମ୍ପତି ବିଜୟ ଓ ଶିବାନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘର ଛାଡ଼ି ବାପ ଘରକୁ ପଳାଇଥିଲେ ଶିବାନୀ । ଏହାପରେ ଚରମ ନିଷ୍ପତ୍ତି ନେଇଥିଲେ ସ୍ୱାମୀ ବିଜୟ । ଗାଜିଆବାଦସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ । ଘରଠାରୁ ୮କିଲୋମିଟର ଦୂର ଏକ ବିଦ୍ୟୁତ ଖୁଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ କରୁଛି । ମଧ୍ୟପ୍ରଦେଶରେ ବିବାହ ପାଇଁ ବାଧ୍ୟ କରିବାକୁ ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ । ଅନ୍ୟପଟେ ଦିଲ୍ଲୀରେ ଦମ୍ପତ୍ୟ ଜୀବନର କଳି ଯୋଗୁଁ ଜୀବନ ହାରିଛନ୍ତି ସ୍ବାମୀ ସ୍ତ୍ରୀ । ଏହି ଦୁଇ ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇଛି ।