କନକ ବ୍ୟୁରୋ: ପୈତୃକ ଗାଁ ବାୟାବରରେ ପହଞ୍ଚିଲା ପୀଡ଼ିତାଙ୍କ ମୃତଦେହ । ଶେଷ ଦର୍ଶନ ପାଇଁ ଗାଁରେ ଅପେକ୍ଷା କରି ରହିଛନ୍ତି ଲୋକେ । ମୃତଦେହ ପାଖରେ ବସିଛନ୍ତି ପୀଡ଼ିତାଙ୍କ ବାପା । ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକର ଛାୟା । ଆଜି ରାତି ୧୦.୪୫ରେ ଭୁବନେଶ୍ବରରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ପହଞ୍ଚିଥିଲା । ଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ମରଶରୀର । ସେଠାରୁ ପୀଡ଼ିତାଙ୍କ ମୃତଦେହ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଜନ୍ମଭୂମିକୁ ଆସିଥିଲା । ପରିସ୍ଥିତି ଚାପା ଉତ୍ତେଜନା ଥିବାରୁ କମିସନରେଟ ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପହଞ୍ଚିଥିଲେ । 

Advertisment

ସ୍ବତନ୍ତ୍ର କାରକେଡ ଓ ଗୋଟିଏ ପ୍ଲାଟୁନ ପୁଲିସ ବ୍ୟବସ୍ଥାରେ ମୃତଦେହ କମିସନରେଟ ପୁଲିସ ଉତ୍ତରା ଛକ ଯାଏଁ ଆଣିଥିଲା । ଏହାପରେ ପୁରୀ ପୁଲିସ କାରକେଡ କରି ବାୟାବର ଆଣିଥିଲା । କାଲି ସକାଳେ ନିୟମ ଅନୁସାରେ ପୀଡ଼ିତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।