କନକ ବ୍ୟୁରୋ: ଘର ଦୁଆର ମୁହଁରେ ସାଲୁକନାରେ ବନ୍ଧା ଯାଇଛି ଆମ୍ବ, ଲେମ୍ବୁ । ଆଉ ଘର ଭିତରେ ଶିଳରେ ସାର୍ଟ ପ୍ୟାଣ୍ଟ ରଖି ଚାଲିଥିଲା ଷଠୀପୂଜା । କୁନି ପୁ୍ଅ ଆଶୀର୍ବାଦ ପୁଣିଥରେ ତା ମା କୋଳକୁ ଫେରି ଆସୁ କିଛି ଏଭଳି ମାନସିକ ରଖି ୬ ଦିନ ହେବ ଚାଲିଥିଲା ପୂଜାପାଠ। ଏହା ଭିତରେ ଘରେ ପଞ୍ଜୁରୀରେ ଥିବା ଶୁଆ ବ୍ୟତିବ୍ୟସ୍ତ ହୋଇପଡୁଥିଲା। ବୋଧହୁଏ ସେତେବେଳକୁ ଶୁଆଟି ଜାଣି ସାରିଥିଲା ଆଶୀର୍ବାଦ ଆଉ ଘରକୁ ଫେରିବନି। ନିଖୋଜ ହେବାର ୭ ଦିନ ପରେ ନାବାଳକର ଆଶୀର୍ବାଦର ମୃତଦେହ ପାଇଖାନା ଟାଙ୍କିରୁ ମିଳିବା ପରେ ପୂରା ଡେଲାଙ୍ଗ ରତନପୁର ଗାଁ ସ୍ତବ୍ଧ ହୋଇ ଯାଇଥିଲା ।
ଗୁମୁରି ଗୁମୁରି କାନ୍ଦୁଥିଲା ମା, କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ଗାଁ। କାରଣ ଆଶୀର୍ବାଦର ହତ୍ୟାକାରୀ ସାଜିଛି ସମ୍ପର୍କୀୟ ଭାଇ ବାପି ସାହୁ । ଜୋର୍ ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପରେ ଅତି ନୃଶଂସ ଭାବେ ଆଶୀର୍ବାଦକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳକ ଆଶୀର୍ବାଦର ଗୁପ୍ତାଙ୍ଗ କାଟି ହତ୍ୟା କରିବା ସହ ନୃଶଂସତାର ସୀମାପାର୍ କରିଛି ବାପି । ଆଉ ଏଭଳି ଜହ୍ଲାଦର ବି ସମଦଶା ହେବା ଦରକାର ବୋଲି ପୂରା ଗାଁ କହୁଛି ।
ଆଶୀର୍ବାଦର ମୃତଦେହ ମିଳିବା ପରେ ଅଭିଯୁକ୍ତ ବାପିର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଏପରିକି ଆଶୀର୍ବାଦ ହତ୍ୟା ପାଇଁ ପରୋକ୍ଷରେ ପୁଲିସକୁ ଦାୟୀ କରିଛନ୍ତି । ୧୫ ତାରିଖରେ ଆଶୀର୍ବାଦ ନିଖୋଜ ମାମଲା ଦାୟର ହୋଇଥିଲେ ମଧ୍ୟ ପୁଲିସ ୧୮ ତାରିଖରେ ସନ୍ଧାନୀ କୁକୁର ସହ ପହଞ୍ଚିଥିଲା । ତଥାପି ଆଶୀର୍ବାଦକୁ ଖୋଜି ପାଇନଥିଲା ପୁଲିସ। ଅନ୍ୟପଟେ ମୃତଦେହକୁ ଉଦ୍ଧାର ପରେ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି ପୁଲିସ । ବାପାଙ୍କ ସହ ବିବାଦ ଥିବାରୁ ପୁଅ ଆଶୀର୍ବାଦକୁ ବାପି ହତ୍ୟା କରିଥିବା କହୁଛି ପୁଲିସ। କିନ୍ତୁ ପ୍ରଶ୍ନ ଉଠୁଛି, ବିବାଦ ପ୍ରସଙ୍ଗ ସାମ୍ନାକୁ ଆଣି ଅପ୍ରାକୃତିକ ଯୌନ ଅଭିଯୋଗରୁ ନଜର ହଟାଇବାକୁ ଚାହୁଛି କି ପୁଲିସ? ଏଫଆଇଆର ହେବାର ୩ ଦିନ ପରେ ଖୋଜାଖୋଜି କରିଥିବାରୁ ନିଜ ଦୋଷ ଘୋଡ଼ାଇବାକୁ ଚାହୁଛି କି?