କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳ ପୂର୍ବରୁ ବିଜେପି ଘୋଷଣା କରିବ ସଙ୍ଗଠନ ଓ ନିଗମ ବୋର୍ଡ ପଦ । ଦିଲ୍ଲୀରୁ ଫେରି ଏହି ସଙ୍କେତ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ଓ ପ୍ରଭାରୀ । ସଙ୍ଗଠନର ନୂଆ ମୁହଁକୁ ସୁଯୋଗ ମିଳିବ । ଆଉ ଯେଉଁମାନେ ସଙ୍ଗଠନରେ ସାମିଲ ହେବେନି ସେମାନଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରାଯାଇପାରେ ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଏବେ ସମସ୍ତଙ୍କ ନଜର ବିଜେପିର ରାଜ୍ୟ ମୁଖିଆ କାହାକୁ ତାଙ୍କ ଟିମରେ ନେଉଛନ୍ତି। ଦିଲ୍ଲୀରୁ ଫେରି ଆଜି ମନମୋହନ ସାମଲ ନିଜେ ଏନେଇ ସଂକେତ ଦେବା ପରେ ଜୋର ଧରିଛି ଚର୍ଚ୍ଚା। ଏହାସସହ ନୂଆ କମିଟି ଗଠନ ପାଇଁ କସରତ ବି ଜୋରଦାର ହୋଇଛି । ବିଜେପି ରାଜ୍ୟ ସଭାପତିଙ୍କ କହିବା ଅନୁସାରେ,
-ସାମ୍ବିଧାନିକ ପଦ୍ଧତିରେ ରାଜ୍ୟର ନୂଆ କମିଟି ହେବ
-କମିଟିରେ ନୂଆ ପୁରୁଣା ସମସ୍ତେ ରହିବେ
-୨୫% ନୂଆ ମୁହଁ ସାମିଲ ହେବେ
ଆଜି ଓ କାଲି ରାଜ୍ୟ ବିଜେପି ଅଫିସରେ ବୈଠକ ପରେ ରାଜ୍ୟ ବିଜେପି ସଙ୍ଗଠନ ନୂଆ ରୂପ ପାଇବ । ଅର୍ଥାତ ଆସନ୍ତା ସପ୍ତାହ ସୁଦ୍ଧା ବିଜେପିର ନୂଆ କମିଟି ପାଇବ ବୋଲି ଆଶା କରାଯାଉଛି ।
ରାଜ୍ୟ ବିଜେପି ସଙ୍ଗଠନ ଘୋଷଣା ପରେ ନିଗମ ଓ ବୋର୍ଡ ଘୋଷଣା ହୋବ ବୋଲି ସଙ୍କେତ ମିଳିଛି । ଅର୍ଥାତ ଅଗଷ୍ଟ ୧୫ ପୂର୍ବରୁ ନିଗମ ଓ ବୋର୍ଡ ସଭାପତି ଘୋଷଣା ହୋଇପାରେ । ନୂଆ ସରକାର ଗଠନର ୧୩ ମାସ ବିତିଲାଣି । କିନ୍ତୁ ନିଗମ ଓବୋର୍ଡ ଅଧ୍ୟକ୍ଷ ପଦ ଘୋଷଣା ଝୁଲି ହୋଇ ରହିଛି । ନେତାମାନେ ନିଗମ ଲଡୁ ପାଇବାକୁ ଅନାଇବସିଛନ୍ତି । କୁହାଯାଉଛି, ସଙ୍ଗଠନରେ ଯେଉଁମାନେ ସ୍ଥାନ ନପାଇବେ ସେମାନଙ୍କୁ ନିଗମ, ବୋର୍ଡ ଲଡୁ ଦେଇ ସନ୍ତୁଷ୍ଟ କରାଯାଇପାରେ ।
ମନମୋହନ ସାମଲ ଦିଲ୍ଲୀରୁ ଫେରିଛନ୍ତି । ତାଙ୍କ ସହ ରାଜ୍ୟ ପ୍ରଭାରୀ ଅଛନ୍ତି । କୁହାଯାଉଛି, ସବୁଜ ସଙ୍କେତ ପାଇ ସଙ୍ଗଠନ, ନିଗମ ଓ ମନ୍ତ୍ରୀଙ୍କ ତାଲିକା ନେଇ ଆସିଛନ୍ତି ଉଭୟ ନେତା । ଆଉ ଅଗଷ୍ଟ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ପ୍ରାୟତଃ ସରିବାକୁ ଯାଉଛି ।