କନକ ବ୍ୟୁରୋ : ସବୁବେଳେ ମହିଳା ଚେହେରାଙ୍କୁ ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଷ୍ଟ୍ରୀୟ ସଭାପତି ପାଇଁ ଉକ୍ତ ବର୍ଗରୁ ଜଣଙ୍କୁ ବାଛିପାରନ୍ତି । ରେସରେ ସବୁଠୁ ଆଗରେ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ନିକଟରେ ଦଳର ମହାସଚିବ ବିଏଲ ସନ୍ତୋଷଙ୍କ ବୈଠକ ଏହି ଚର୍ଚ୍ଚାକୁ ବଢ଼ାଇଛି । ତେବେ ନିର୍ମଳାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ପଛରେ ଦଳର ବଡ ରଣନୀତି ଥିବା କୁହାଯାଉଛି । ଦକ୍ଷିଣଭାରତରେ ନିଜର ସ୍ଥତିକୁ ଅଧିକ ମଜବୁତ କରିପାରିବ ।  ଅନ୍ୟପଟେ ଦକ୍ଷିଣ କୋଏମ୍ବାଟୁର ଦଳୀୟ ବିଧାୟିକା  ବନଥୀ ଶ୍ରୀନିବାସନ । ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ । ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ କମଳ ହାସନଙ୍କୁ ହରାଇ ଚର୍ଚ୍ଚାରେ  ଥିଲେ । ଆଗାମୀ ଦିନରେ ତାମିଲନାଡୁ ଓ କେରଳରେ ବିଧାନସଭା ନିର୍ବାଚନ ହେବ ।  ଏହି ଦୃଷ୍ଟିରୁ ବନଥୀ ରାଷ୍ଟ୍ରୀୟ ସଭାପତି ପଦବି ପାଇଁ ଭଲ ବ୍ୟକ୍ତିତ୍ବ ହୋଇପାରନ୍ତି । ସେହିଭଳି ରାଷ୍ଟ୍ରୀୟ ସଭାନେତ୍ରୀ ପଦ ପାଇଁ ଦକ୍ଷିଣର ଆଉ ଏକ ମହିଳା ଚେହେରା ହେଲେ ଆନ୍ଧ୍ର ପ୍ରଦେଶର ବିଜେପି ସଭାପତି ଡି.ପୁରନ୍ଦେଶ୍ବରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ । ପୂର୍ବରୁ ୟୁପିଏ ସରକାର ସମୟରେ କଂଗ୍ରେସର କେନ୍ଦ୍ରମନ୍ତ୍ରୀ । ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ପୁରନ୍ଦେଶ୍ବରୀ ରାଜମହେନ୍ଦ୍ରି ଆସନରୁ ନିର୍ବାଚିତ ହୋଇଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଖୁବ ନିକଟ ସର୍ମ୍ପକୀୟ ପୁରନ୍ଦେଶ୍ବରୀ ସଭାନେତ୍ରୀ ନିଯୁକ୍ତ ହେଲେ ଉଭୟ ଦକ୍ଷିଣ ଓ ମହିଳା ଭୋଟ ବ୍ୟାଙ୍କ ପ୍ରଭାବିତ କରିବାର ଆଶା ଅଛି । ମହିଳା ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଚେତନ । ଗତ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ମହିଳା ଭୋଟକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଉଦ୍ୟମ କରିଛନ୍ତି । ଏହାଛଡା ମହିଳା ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜ୍ୟର ବିଜେପି ସରକାର ବିଭିନ୍ନ ଯୋଜନମାନ କରିଛନ୍ତି । ଏଭଳି ସ୍ଥଳେ ମହିଳା ଭୋଟର ଓ ଦକ୍ଷିଣରେ ବିଜେପି ଉଥାନ ପାଇଁ ସେହି ଅଞ୍ଚଳର ମହିଳାଙ୍କୁ ରାଷ୍ଟ୍ରୀୟ ସଭାନେତ୍ରୀ କରିବାକୁ ଦଳୀୟ ତୁଙ୍ଗ ନେତୃତ୍ବ ଚାହିଁବା ସ୍ବାଭାବିକ । ଆରଏସଏସସ ମଧ୍ୟ ଜଣେ ମହିଳାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ସବୁଜ ସଙ୍କେତ ଦେଇଥିବା କୁହାଯାଉଛି । ଏହା ଦ୍ବାରା ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦଳର ଏକ ସକରାତ୍ମକ ବାର୍ତ୍ତା ଜନତାଙ୍କ ନିକଟରେ ପହଁଚିବ ।

Advertisment