କନକ ବ୍ୟୁରୋ : ବଳ ଗୋଟାଉଛି ବିଜେପି । ଜିଲ୍ଲାରୁ ଜିଲ୍ଲା ବିଜେଡି ସଙ୍ଗଠନକୁ ଭାଙ୍ଗି ଭାଙ୍ଗି ଚାଲିଛି ବିଜେପି । ପଞ୍ଚାୟତସ୍ତରର ନେତାଙ୍କୁ ସାମିଲ କରି ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ରଣନୀତି କରୁଛି ବିଜେପି । ନବୀନଙ୍କ ଗଡ ଠାରୁ ଆରମ୍ଭ କରି ବବିଙ୍କ ଗଡ ପର୍ଯ୍ୟନ୍ତ ସବୁଠି ବିଜେଡିରୁ ମୁହଁ ଫେରାଇ ପଦ୍ମକୁ ଆପଣାଇଛନ୍ତି ହଜାର ହଜାର କର୍ମୀ । ସେପଟେ ବିଜେଡ଼ି ବିଧାୟକ ବି ବିଜେପିରେ ମିଶିବାକୁ ଚାହିଁ ରହିଛନ୍ତି ବୋଲି ବିଜେପିର ଶୀର୍ଷ ନେତୃତ୍ବ ସଂକେତ ଦେଇଛନ୍ତି ।
ବିଜେଡି ଶୂନ ହୋଇଯିବ, ୨୦୨୯ ବେଳକୁ ଦଳ ନଥିବ । ଯାଜପୁରରୁ ଏହାର ଆୟମାରମ୍ଭ ହୋଇଛି । ବିଶାଳ ମିଶ୍ରଣ ପର୍ବରେ ନିକଟରେ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇ ଏହାର ପୁନାଦି ପକାଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଆସି ପଦ୍ମ ଧରିଛନ୍ତି ସୁନନ୍ଦା । ପୁରୁଣା ଘରକୁ ବାହୁଡିବା ସହ ଦଳକୁ ଶକ୍ତିଶାଳୀ କରିବାକୁ ପଣ କରିଛନ୍ତି । ସେହିଭଳି ଜଗତସିଂହପୁର, ଭଦ୍ରକ, ନୟାଗଡ, ସାନଖେମୁଣ୍ଡି ଓ କଟକରୁ ପଞ୍ଚାୟତସ୍ତରର ନେତା ପଦ୍ମ ଶିବିରକୁ ଏଣ୍ଟ୍ରି କରିଛନ୍ତି । ଅନ୍ୟପଟରେ ବିଜେପିରେ ସୁନନ୍ଦାଙ୍କ ଯୋଗଦାନ ସହ ବିଜେଡିକୁ ଶୂନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ଦମ୍ଭ ଦେଖାଇଛନ୍ତି । ବିଜେଡିର ବିଧାୟକ ଖୁବଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି କହିଛନ୍ତି ରବୀନ୍ଦ୍ର।
ରବୀନ୍ଦ୍ରଙ୍କ ଦାବିକୁ ଆହୁରି ବଳ ଦେଇଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ । ବିଜେପିରେ ମିଶିବାକୁ ଅନେକ ବିଜେଡି ନେତା ଗୋଡ ଟେକି ବସିଛନ୍ତି । ଦିନ ବିତିବା ସହ ତାଲିକା ଲମ୍ବୁଛି । କିନ୍ତୁ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ଭିତରେ ଏହା ଅଟକିଥିବାରୁ ବିଜେଡି ନେତାଙ୍କ ପଦ୍ମ ଧରିବା ପ୍ର୍ରକ୍ରିୟା ବିଳମ୍ବିତ ହେଉଛି । ବିଜେଡିକୁ ବାଏ ବାଏ କରିବାକୁ ଚାହିଁ ବସିଥିବା ନେତାଙ୍କ ଭିତରେ କିଛି ଲୋକପ୍ରତିନିଧି ରହିଥିବା ସ୍ପଷ୍ଟ କରିଛନ୍ତି ମନମୋହନ । ବିଜେପି ସଭାପତିଙ୍କ ଏଭଳି ଦମ୍ଭୋକ୍ତି ବିଜେଡି ଶିବିରରେ ହଟଚମଟ ସୃଷ୍ଟି କରିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। କିନ୍ତୁ ଏହା ପୂର୍ବରୁ ତୃଣମୂଳସ୍ତରର ନେତା ବିଜେଡି କ୍ୟାମ୍ପ ଛାଡି ବିଜେପି ମୁହାଁ । ଯାହା ବିଜେପିକୁ ସଶକ୍ତ କରୁଥିବା ବେଳେ ବିଜେଡିର ଦୁର୍ଗକୁ ଦୁର୍ବଳ କରୁଛି ।