କନକ ବ୍ୟୁରୋ : ଦୁଇ ରାଜ୍ୟସଭା ସାଂସଦ ପଦ ଛାଡିବା ଓ ବିଜେପିରେ ମିଶିବା ପରେ, ନୂଆ ରଣନୀତି ଆପଣାଇଛି ବିଜେଡି । ପ୍ରତ୍ୟକ ଦିନ ନୂଆ ନୂଆ ସାଂସଦଙ୍କୁ ସାମନାକୁ ଆଣି କେନ୍ଦ୍ର ବିରୋଧରେ ବିଷୋଦଗାର କରୁଛି । ବିଜେଡିର ଏହି ନୂଆ ଷ୍ଟ୍ରାଟେଜୀ ଆଲୋଚନାର ବିଷୟ ପାଲଟିଛି । 

Advertisment

ଦୁଇ ଦିନରେ ଦୁଇ ରାଜ୍ୟସଭା ସାଂସଦଙ୍କୁ ଗଣମାଧ୍ୟମ ସାମନାକୁ ଆଣିଛି ବିଜେଡି । ବୁଧବାର ବିଜେଡି ସାମ୍ବାଦିକ ସମ୍ମିଳନୀରେ ସାଂସଦ ନିରଞ୍ଜନ ବିଶି ଆଦିବାସୀ ପ୍ରସଙ୍ଗରେ କେନ୍ଦ୍ର ଅବହେଳାର କଥା ଉଠାଇ ବର୍ଷିଛନ୍ତି । ଗୁରୁବାର ସାଂସଦ ଶୁଭାଶିଷ୍ ଖୁଣ୍ଟିଆ ଜାତି ଭିତିକ ଜନଗଣନା ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି । 

ମମତା ମହନ୍ତ, ସୁଜିତ କୁମାର ପଦ ଛାଡିବା ପରେ ଦଳୀୟ ସାଂଦଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ମୁଖିଆ । ଆଗକୁ କିଛି ଘଟିବା ପୂର୍ବରୁ ସାଂସଦମାନଙ୍କୁ ଗଣମାଧ୍ୟମ ସାମନାକୁ ଆଣି ଦଳ ସହ ଥିବାର ବାର୍ତା ଦେଉଛନ୍ତି । ଏବଂ ସେମାନଙ୍କ ମୁହଁରେ କେନ୍ଦ୍ର ବିରୋଧରେ କୁହାଇଛନ୍ତି । ଏହାକୁ ନବୀନଙ୍କ ନୂଆ ରଣନୀତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । 

ଦୀର୍ଘ ୨୪ବର୍ଷ ପରେ ପ୍ରଥମ ଥର ପାଇଁ ବିଜେଡି ନେତା, ନବୀନଙ୍କ ନେତୃତ୍ବକୁ ଚାଲେଞ୍ଜ କରି ଦଳ ଛାଡିଛନ୍ତି । କିନ୍ତୁ ଆଗକୁ ଆଉ କେହି ଯେମିତି ଦଳ ନଛାଡନ୍ତି କି, ଦିଲ୍ଲୀରେ ଦଳ ଦୁର୍ବଳ ନହୁଏ ସେଥିପାଇଁ ସଜାଗ ହୋଇଛନ୍ତି ସୁପ୍ରିମୋ । ଆଉ ଦିଲ୍ଳୀରେ ଅଲ ଇଜ୍ ୱେଲ ଥିବାର ବାର୍ତା ଦେବାକୁ ପ୍ରୟାସ କରିଛନ୍ତି ।