କନକ ବ୍ୟୁରୋ: ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଯୋଜନା କରିଥିଲେ ବିଜେଡି ସରକାର। କିନ୍ତୁ ସେହି ସବୁ ଯୋଜନା ମଧ୍ୟରୁ ଯେଉଁ ସବୁ ଯୋଜନାକୁ ବିଜେଡି ତାର ଫ୍ଲାଗସିପ୍ ଯୋଜନା ବୋଲି କହି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସରକାର ବଦଳିବା ପରେ ସେହି ସବୁ ଯୋଜନାଗୁଡିକ ପାଇଁ ଅର୍ଥ ବ୍ୟବସ୍ଥା କରି ନାହାନ୍ତି ମୋହନ ସରକାର। ଯାହାକୁ ନେଇ ତେଜିଛି ରାଜନୀତି। ଆମ ଓଡିଶା, ନବୀନ ଓଡିଶା, ମୋ ସ୍କୁଲ ଅଭିଯାନ, ମୋ କଲେଜ ଅଭିଯାନ, ବିଜୁ ଯୁବ ବାହିନୀ ପ୍ରଭୃତି ବିଜେଡ଼ି ସରକାର ସମୟରେ ଏହିସବୁ ଯୋଜନାଗୁଡିକୁ ଯୁଗାନ୍ତକାରୀ ଯୋଜନା କହିବା ସହ ଡିଣ୍ଡିମ ପିଟାଯାଉଥିଲା। ନିର୍ବାଚନ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲା । ଦିନେ ଏହି ସବୁ ଯୋଜନା ବିଜେଡ଼ିର ଭୋଟ ବ୍ୟାଙ୍କ ଭାବେ ପରିଣତ ହୋଇଥିଲା। ହେଲେ ସରକାର ବଦଳିବା ପରେ ଯୋଜନାଗୁଡିକର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡି ସରକାର ସମୟରେ ହୋଇଥିବା ଏସବୁ ପ୍ରମୁଖ ଯୋଜନା ଗୁଡିକ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇନାହିଁ। କେବଳ ଓଡ଼ିଶା ମୋ ପରିବାର ଯୋଜନା ଲାଗି ୫କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ମୋହନ ସରକାର। ଏହି ତଥ୍ୟ ସାମାନକୁ ଆସିବା ପରେ ତେଜିଛି ରାଜନୈତିକ ବୟାନବାଜି।
ପୂର୍ବ ବିଜେଡି ସରକାର, ୨୦୨୩-୨୪ ଆର୍ଥକ ବର୍ଷରେ
ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ପାଇଁ ୩୫୫୧ କୋଟି ଟଙ୍କା
ମୋ କଲେଜ ଅଭିଯାନ ପାଇଁ ୨୬କୋଟି ଟଙ୍କା
ମୋ ସ୍କୁଲ ଅଭିଯାନ ପାଇଁ ୧୧୧୯ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। କିନ୍ତୁ ବିଜୁ ଯୁବ ବାହିନୀ ଓ ଓଡ଼ିଶା ପରିବାର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ କୌଣସି ବ୍ୟୟ ବରାଦ କରିନଥିଲେ ପୂର୍ବ ସରକାର। ତେଣୁ ଏସବୁ ଯୋଜନା ପାଇଁ ନୂଆ ସରକାର ବ୍ୟୟ ବରାଦ ନକରିବା ଦ୍ବାରା କିଛି ପ୍ରଭାବ ପଡିବ କି ନାହିଁ, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ।
ସରକାର ବଦଳିବା ପରେ ପୂର୍ବ ସରକାର ସମୟରେ ହୋଇଥିବା ବିଭିନ୍ନ ଯୋଜନାର ନାଁକୁ ନୂଆ ସରକାର ବଦଳାଇ ଦେଇଛନ୍ତି। ଏଥିସହ ପୂର୍ବ ସରକାର ସମୟରେ ହୋଇଥିବା ଯୋଜନା ଗୁଡିକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।