କନକ ବ୍ୟୁରୋ : ବିଶ୍ୱ ସ୍ତରୀୟ ପ୍ରକଳ୍ପ ଭଳି ବିଶ୍ୱସ୍ତରୀୟ ଦୁର୍ନୀତି । ଓଡ଼ିଶା ଇତିହାସରେ ସମ୍ଭବ ତ ଏତେ ବଡ଼ ଦୁର୍ନୀତି କେତେବେଳେ ହୋଇଥିଲା ଭଳି ମନେ ହେଉନାହିଁ । ବଡ଼ ବଡ଼ ପ୍ରକଳ୍ପ ପାଇଁ ଯେଉଁ ମାତ୍ରାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ସେହିଭଳି ମାତ୍ରାରେ ହଜାର ହଜାର କୋଟିର କେଳେଙ୍କାରୀ ହୋଇଛି । ପୂର୍ତ୍ତ ବିଭାଗର ବିଭିନ୍ନ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ବେଳେ ଏହା ଉପରେ ଏବେ ଭିଜିଲାନ୍ସର ଆଖି । ଏହି ମହାଦୁର୍ନୀତିର କାର୍ପଟଦାର ସାଜିଥିଲେ ଓବିସିସିର ବଡ଼ ବଡ଼ ବାବୁ । ଯାହାକୁ ନେଇ ଏବେ ପାୱାର କରିଡ଼ରରେ ହଇଚଇ । କେମିତି ଗଳାବାଟ ଦେଇ ଟେଣ୍ଡର ପାସ କରାଉଥିଲେ ଓ ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଉଥିଲେ ସେନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି ।
ଏହି ଦୁର୍ନୀତିର ଚେର ଖୋଜିବା ପାଇଁ ଭିଜିଲାନ୍ସ ସହିତ ପୂର୍ତ୍ତ ବିଭାଗକୁ ମଧ୍ୟ ଅବଗତ କରାଯାଇଛି । ହେଲେ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତର ଧିମାପଣକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ସବୁ ବଡ଼ କଥା ହେଲା, ଦୁର୍ନୀତି ଅଭିଯୋଗ କରିଛନ୍ତି ବିଜେପିର ବଡ଼ ଚେହେରା । ଆଉ ଏହାର ତଦନ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତଥାପି ପୂର୍ତ୍ତ ବିଭାଗରେ ବଡ଼ ବଡ଼ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ତଦନ୍ତରେ ଧିମାପଣକୁ ନେଇ ପ୍ରଶ୍ନ ଉଠିଛି । ଭୁବନେଶ୍ୱରରୁ କଟକ ୨୦ କିମି ରାସ୍ତାରେ ଲୋକଙ୍କୁ ଯିବା ପାଇଁ ହୁଏତ ୨୦ ମିନିଟ୍ ସମୟ ଲାଗିବ । କିନ୍ତୁ ଲୋକସେବା ଭବନରୁ କଟକ ପୁଲିସ ମୁଖ୍ୟାଳାୟ ଯାଏଁ ମାତ୍ର ୩୦କିମି ରାସ୍ତାରେ ସରକାରୀ ଫାଇଲ ଯିବାକୁ ଲାଗିଲାଣି ମାସେରୁ ଅଧିକ ସମୟ । ଡିସେମ୍ୱର ୧୯ରୁ ହୋଇଥିବା ଦୁର୍ନୀତି ଅଭିଯୋଗ ଫାଇଲ ଏଯାଏଁ କଟକ ପହଂଚି ପାରୁନି । ସରକାରଙ୍କ ଦୁର୍ନୀତି ମୁକ୍ତ କାର୍ଯ୍ୟାନୁଷ୍ଠାନରେ କିଏ ବାଧକ ସାଜୁଛି । ଭୁବନେଶ୍ୱର-କଟକ ମଝିରେ ଅଛି କିଏ । ଯିଏ ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ମୁକ୍ତ ଶାସନରେ କଂଟା ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ତ୍ତ ବିଭାଗ ନାଁରେ ଏଭଳି ଦୁର୍ନୀତିର ଅଭିଯୋଗ ଆସିଛି ।