କନକ ବ୍ୟୁରୋ : ସମୟ ବଦଳୁଛି ଲୋକଙ୍କ ଚାହିଦା ମଧ୍ୟ ବଦଳିବାରେ ଲାଗିଛି । ପେଟ ପାଟଣା ପାଇଁ ଯେମିତି ସଂଘର୍ଷ ବଢିଚାଲିଛି । ବିଭିନ୍ନ ସ୍ଥାନରେ ଲୋକେ ନିଜ କୌଳିକ ବୃତ୍ତି ବଂଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଯେମିତିକି ଏହି କଟକ ସାଲେପୁର ଓ ଏହାର ଆଖପାଖ ଅଂଚଳରେ କମାର ଶାଳ ବହୁଡ଼ିବାକୁ ଯାଉଛି । ରାତିପାହିଲେ ଯେଉଁଠି ନିହଣର ଶଦ୍ଦ ଶୁଭୁଥିଲା । ଯେଉଁ କମାର ଶାଳରେ କାମ କରି ପେଟ ପାଳୁଥିଲେ ଏହି କମାର ପରିବାର । ସେହି କମାର ଶାଳ ଆଜି ଯେମିତି ଅଲୋଡ଼ା ହୋଇପଡୁଛି । ଆଧୁନିକତାର ଚାକଚକ୍ୟ ଭିତରେ ଦିନକୁ ଦିନ ଏହି କାମ ହଜିବାକୁ ବସିଲାଣି।  ବଜାରରେ ଉପଲବ୍ଧ ରେଡ଼ିମେଡ଼ ଲୁହା ସାମଗ୍ରୀ ଶସ୍ତାରେ ମିଳି ଯାଉଥିବାବେଳେ ଲୋକମାନେ  ଆଉ ଆଗଭଳି କମାର ଶାଳ ଉପରେ ନିର୍ଭର କରୁନାହାନ୍ତି ।    

Advertisment

କମାର ଶାଳରେ ଦାଆ, କଟୁରିରୁ ନେଇ କୋରଣା, କୋଡ଼ି ଆଦି ତିଆରି ହୋଇରହିଛି । କିନ୍ତୁ  ଏସବୁକୁ କିଣିବା ପାଇଁ ଗ୍ରାହକ ଆଗ୍ରହ ନୁହଁନ୍ତି ।  ଖାଲି ସେିତିକି ନୁହେଁ ସରକାରଙ୍କ ପକ୍ଷରୁ ବି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉନି। ଯେଉଁଥିପାଇଁ ଏହି ବୃତ୍ତିକୁ  ବଞ୍ଚାଇ ରଖିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯଦି ସରକାରଙ୍କ ଦ୍ବାରା କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଏ ତାହେଲେ ସେମାନଙ୍କ କୌଳିକ ବୃତ୍ତି ବଞ୍ଚିଯାଆନ୍ତା ବୋଲି କହିଛନ୍ତି କମାର କାରିଗର । 

ସରକାରଙ୍କ ତରଫରୁ କମାର ଶିଳ୍ପର ପୁନରୁଦ୍ଧାର ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରାଯାଇପାରିଲେ କମାର କାରିଗର ମାନେ ନିଜ କୌଳିକ ବୃତ୍ତି ବଂଚାଇ ରଖିପାରିବେ ।