କନକ ବ୍ୟୁରୋ :  ଦିନେ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ କିଣିବାକୁ ବ୍ୟବସାୟୀଙ୍କ ଭିଡ଼ ଜମୁଥିଲା । ହେଲେ ଆଜି ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାକୁ ବ୍ୟବସାୟୀ ମିଳୁନାହାନ୍ତି । ଆଧୁନିକ ଯୁଗରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ଏହାର ଚାହିଦା କମିଛି।  ଆଉ ବାଉଁଶକୁ ମାଧ୍ୟମ କରି ପେଟ ପୁଶୁଥିବା  ପରିବାର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ପଂଚାୟତ ଟେଂଗ୍ରାମାରି ଗାଁ ମହିଳା ମାନେ ପୂର୍ବରୁ ନିଜର ବୃତ୍ତି ଅନୁଯାଇ ଝୁଡ଼ି, ଟୋକେଇ ଘରକରଣା ସାମଗ୍ରୀ ତିଆରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ମାତ୍ର ସମୟ ବଦଳିବା ସହ ସେହି ସବୁ ଜିନିଷର ଚାହିଦା ମଧ୍ୟ କମିଛି ।   ଧୀରେ ଧୀରେ ଲୋପ ପାଇଯାଉଥିବା ହାତ ତିଆରି ସାମଗ୍ରୀକୁ ବଚାଂଇରଖିବା ପାଇଁ ଏସଏଚଜି ଜରିଆରେ  ବିଭିନ୍ନ ପ୍ରକାର ଆକର୍ଷଣୀୟ ଉପକରଣ ତିଆରି କରୁଛନ୍ତି ମହିଳା । ଗାଁର ୭୦ରୁ ଉର୍ଦ୍ଧ ମହିଳା ଏହି କାମ କରୁଛନ୍ତି । ଆଉ ବାଉଁଶରୁ ଝୁଡି, ଟୋକେଇ, ଚହ୍ଲା, କୁହ୍ଲା, ପାଛିଆ ଓ ଫୁଲ ଚାଙ୍ଗୁଡ଼ି ଆଦି ସାମଗ୍ରୀ ସବୁ ତିଆରି କରୁଛନ୍ତି ।

Advertisment

 ମହିଳା ମାନେ ନିଜସ୍ବ ଉଦ୍ୟମରେ ଏହି କାମ କରି ଆତ୍ମନିର୍ଭର ହୋଇପାରିଛନ୍ତି । ପୁରୁଷଙ୍କ ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ କରିପାରୁଛନ୍ତି । ବଜାର ବ୍ୟବସ୍ଥା ନଥିବାରୁ ଜିନିଷ ବିକ୍ରି ପାଇଁ ସମସ୍ୟା ଭୋଗୁଛନ୍ତି  ମହିଳା । କେବେଳ ପାନ ବିକ୍ରି ପାଇଁ ଆବଶ୍ୟକ ହେଉଥିବା ଝୁଡି ଓ ଟୋକେଇର ଚାହିଦା ଥିବାରୁ ତାହାକୁ ଅଧିକ ମାତ୍ରାରେ ତିଆରି କରୁଛନ୍ତି। ଏହା ସହ କିଛି କିଛି ଘରୋଇ  ଉପକରଣ ପ୍ରସ୍ତୁତ କରି ସେଗୁଡିକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ଓ ଆଖ ପାଖରେ ଅନୁଷ୍ଠିତ ହେଉଥିବା ଛୋଟ ବଡ ମେଳାକୁ ଯାଇ ବିକ୍ରି କରୁଛନ୍ତି । 

ମିଶନ ଶକ୍ତି ଓ ଜିବିକା ମିଶନ ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଷ୍ଟଲ ଓ ବଜାର ସୁବିଧା ଯୋଗଇଦେଲେ ଏମାନେ ମଧ୍ୟ ଉପକୃତ ହୋଇପାରନ୍ତେ ।