କନକ ବ୍ୟୁରୋ :  ବଲାଙ୍ଗୀର ସହହରେ ଦିନକୁ ଦିନ ଯାନ ବାହାନ ଚଳାଚଳ ବଢୁଛି । ସହର ଭିତରେ ବସ ଷ୍ଟାଣ୍ଡ ଥିବାରୁ ପ୍ରତିଦିନ ବିଭିନ୍ନ ଛୋଟମୋଟ ଦୁର୍ଘଟଣା ସହ ଟ୍ରାଫିକ ସମସ୍ୟା ଉପୁଜିଲା ।  ଏହାର ସମାଧାନ ପାଇଁ ବଲାଙ୍ଗୀର ଆରଟିଓ ଅଫିସ ନିକଟରେ ତିଆରି ହୋଇଛି ବସ ଟର୍ମିନାଲ ।  ଖର୍ଚ୍ଚ ହୋଇଛି ପ୍ରାୟ ୯ କୋଟି ।  ୨୦୨୨ ଜୁନରେ  ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ପ୍ରକଳ୍ପ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଯାହା ପ୍ରମାଣ କରୁଛି ବର୍ତ୍ତମାନର ସ୍ଥିତି । ଆଜି ପର୍ଯ୍ୟନ୍ତ  ବିଦ୍ୟୁତ ବ୍ୟବସ୍ଥା ହୋଇପାରିନି । ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ପିଇବା ପାଇଁ ପାଣିର ବ୍ୟବସ୍ଥା ବି ନାହିଁ ।

Advertisment

ବଲାଙ୍ଗୀର ବସ ଟର୍ମୀନାଲ ପ୍ରକଳ୍ପରେ ଲାଗିଥିବା ଫ୍ୟାନ ଗୁଡିକ ଭାଙ୍ଗି ଗଲାଣି । ଚେୟାର ସବୁ ଭାଙ୍ଗି ଅଳିଆ ଗଦାରେ ଫିଙ୍ଗା ଯାଇଛି । ଶୌଚାଳୟରେ ପାଣି ବ୍ୟବସ୍ଥା ନଥିବାରୁ ଯାତ୍ରୀ ନାହିଁନଥିବା ହଇରାଣ ହେଉଛନ୍ତି ।  ଢ଼ିଲା ସୁରକ୍ଷା ଯୋଗୁଁ ଯାତ୍ରୀଙ୍କ ସାମଗ୍ରୀ ଓ ଦୁଇ ଚକିଆ ଯାନ ଚୋରୀ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚଟାଣ ଓ କାନ୍ଥରେ ଲାଗିଥିବା ଟାଇଲ ସବୁ ଭାଙ୍ଗି ଗଲାଣି । ପୁରା ସ୍ଥିତିକୁ ଦେଖି ନିର୍ମାଣରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଯାତ୍ରୀ ।

୯ କୋଟିର ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠିଛି । ଖର୍ଚ୍ଚ ହୋଇଥିବା ଅର୍ଥ ଓ ମାନ ପରୀକ୍ଷା ପାଇଁ ଦାବି ହୋଇଛି ।