କନକ ବ୍ୟୁରୋ: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ୍ ଓ ବ୍ୟାରେଜ ଗୁଡ଼ିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା, ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ ହୋଇଥାଏ । ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣ ହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ୍ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ମୋହନ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ ସ୍କାଡା ପ୍ରକ୍ରିୟାର ଉପଯୋଗକୁ ଗୁରୁତ୍ଵ ଦେଇଥିଲେ । ଏହି ବ୍ୟବସ୍ଥାକୁ ଉପଯୋଗ କରି ଡ୍ୟାମ୍, ବ୍ୟାରେଜ ଏବଂ ଅନ୍ତଃନଦୀ ଜଳାଶୟ ଗୁଡ଼ିକର ଜଳସ୍ତର ସମ୍ବନ୍ଧୀୟ ସଠିକ ତଥ୍ୟ ହାସଲ କରି ଫାଟକ ଗୁଡ଼ିକର ସୁପରିଚାଳନା ସହ ଜଳ ନିଷ୍କାସନ କରିବା । ଏଥିପାଇଁ ୮୦ କୋଟି ଟଙ୍କାର ବ୍ୟୟ ବରାଦରେ “ସ୍ୱୟଂଚାଳିତ ଫାଟକ ଯୋଜନା'' ନାମରେ ଏକ ନୂତନ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କରିଛି ।
ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ୧୪ଟି ଡ୍ୟାମର ୭୬ଟି ଫାଟକ, ୧୦ଟି ବ୍ୟାରେଜର ୧୫୩ଟି ଫାଟକ ତଥା ୨୭ଟି ଅନ୍ତଃନଦୀ ଜଳାଶୟ (ଆଇଏସ୍ଏସ୍)ର ୩୪୪ଟି ଫାଟକକୁ ସ୍ବୟଂଚାଳିତ ଫାଟକରେ ପରିଣତ କରାଯିବ । ଏହି ଯୋଜନାର ମୂଳ ଲକ୍ଷ୍ୟ ଗୁଡ଼ିକ ହେଲା, ଫାଟକଗୁଡ଼ିକୁ କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବା ସହିତ ସମୟାନୁବର୍ତ୍ତୀ ତଥା ତ୍ଵରିତ ପଦକ୍ଷେପ ନିଆଯାଇପାରିବ । ଡ୍ୟାମ୍ ଓ ବ୍ୟାରେଜର ଫାଟକ ପରିଚାଳନା ପାଇଁ ନିୟୋଜିତ କର୍ମଚାରୀମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇପାରିବ ଏବଂ ମାନବକୃତ ତ୍ରୁଟିକୁ ଏଡ଼ାଇ ଦିଆଯାଇ ପାରିବ । ଖୁବଶୀଘ୍ର ଟେଣ୍ଡର କରାଯାଇ ଏହା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।