କନକ ବ୍ୟୁରୋ :  ଦଶହରା ବଜାରରେ ଦମ ଦେଖାଇଛି କର୍ମ ।  ଅସ୍ତ ହେବାକୁ ବସିଥିବା ଓଲିଉଡ ଇଣ୍ଡଷ୍ଟ୍ରିକୁ ଦେଇଛି ଜୀବନ୍ୟାସ । ବଲିଉଡ ଟ୍ରାକ ନୁହେଁ ବରଂ ଓଲିଉଡ ଟ୍ରାକ ଚିରିଂ ଚିରିଂରେ କମ୍ପିଛି ହଲ୍ । ଫିଲ୍ମ କର୍ମକୁ ନେଇ ଦର୍ଶକଙ୍କ ଆଦୃତି ଓଲିଉଡ ପାଇଁ ପୁଣିଥରେ ପୂଜା ବଜାରରେ ନୂଆ ସମ୍ଭାବନାର ସୂର୍ଯ୍ୟୋଦୟ ସୃଷ୍ଟି କରିଛି । ମାତ୍ର ୫ ଦିନରେ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରି ଫିଲ୍ମ କର୍ମ ସଂକେତ ଦେଇଛି, ଭଲ ଫିଲ୍ମ କଲେ ଦର୍ଶକ ଭଲପାଇବା ଦେବେ ଓ ହଲ୍ ହାଉସଫୁଲ ହେବ ।  ନିଜେ ନିର୍ମାତା ନିଜ ରେକର୍ଡ ଭାଙ୍ଗି ଖୁସିବ୍ୟକ୍ତ କରିଛନ୍ତି ।  

Advertisment

ପୂର୍ବରୁ କପି ପେଷ୍ଟ ଓଡ଼ିଆ ଫିଲ୍ମକୁ ନେଇ ଦର୍ଶକ ନାକ ଟେକୁଥିଲେ । ଫିଲ୍ମ ରିଲିଜ ହେଉଥିଲା, କିନ୍ତୁ ହଲରେ ଦଶର୍କଙ୍କ ମରୁଡି ଦେଖିବାକୁ ମିଳୁଥିଲା । କିନ୍ତୁ ଗତ ୨ ବର୍ଷ ହେବ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଫିଲ୍ମ ନିର୍ମାଣର ଟ୍ରେଣ୍ଡ ଏବେ ଓଲିଉଡକୁ ନୂଆ ଦିଶା ଦେଖାଇଛି । ଦମନ, ପ୍ରତୀକ୍ଷା ଭଳି ମୌଳିକ କାହାଣୀକୁ ନେଇ ନିର୍ମିତ ଫିଲ୍ମ ଓଲିଉଡକୁ ନେଇ ପୂର୍ବରୁ ଦଶର୍କଙ୍କର ଥିବା ଧାରଣାକୁ ସମାଧି ଦେଇଛି । ପ୍ରଯୋଜକଙ୍କୁ ଟିକେଟ ବାଣ୍ଟିବାକୁ ପଡୁନି, ବରଂ ଦର୍ଶକଙ୍କ ଡିମାଣ୍ଡ ପାଇଁ ହଲରେ ଅଧିକରୁ ଅଧିକ ସ୍ଲଟ ଖାଲି କରିବାକୁ ପଡୁଛି । ଦର୍ଶକ ମଧ୍ୟ ସୁପରହିଟ ଫିଲ୍ମର ସାର୍ଟିଫିକେଟ ଦେଇ କହିଛନ୍ତି, ପୂରା ପରିବାର ସହ ବସି ଦେଖିବା ଭଳି ଫିଲ୍ମ ହେଉଛି ‘କର୍ମ’। କିଛି ଦିନ ପୂର୍ବେ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନଥିବା ନେଇ ଅଭିଯୋଗ ହେଉଥିଲା । କିନ୍ତୁ ଏବେ ପୂଜା ବଜାରରେ କର୍ମ ଭଳି ଫିଲ୍ମକୁ ହଲରେ ସ୍ଥାନ ଦେବାକୁ ମାଲିକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହା ହିଁ ତ ଓଡ଼ିଆ ଫିଲ୍ମର ପୁର୍ନଜନ୍ମ ।