କନକ ବ୍ୟୁରୋ:  ଶାରଦୀୟ ଦୁର୍ଗାପୂଜା ପାଇଁ ଉଲ୍ଲସିତ ଗାଁରୁ ସହର । ମଣ୍ଡପରେ ମହାସପ୍ତମୀ, ସବୁଠି ଉତ୍ସବମୁଖର ପରିବେଶ । ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ସହ ମନ ମୋହୁଛି ଦେବୀ ଦୁର୍ଗାଙ୍କ ଭବ୍ୟ ମୃଣ୍ମୟୀ ମୂର୍ତ୍ତି । ସପ୍ତମୀରେ ହୋମଯଜ୍ଞ ଓ ମନ୍ତ୍ରପାଠ ସହ ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାଆଙ୍କ ଦର୍ଶନ କରି ଆଶିଷ ନେଉଛନ୍ତି ଅଗଣିତ ଶ୍ରଦ୍ଧାଳୁ । 
 
କେଉଁଠି ଝଟକୁଛି ଜରି ମେଢ଼... ଆଉ କେଉଁଠି ସୁନା ରୁପାର ଦିବ୍ୟ ଆଭୂଷଣ । ମର୍ତ୍ତ୍ୟ ମଣ୍ଡଳକୁ ଓହ୍ଲାଇଛନ୍ତି ମହିଷାମର୍ଦ୍ଦିନୀ ଦେବୀ ଦଶଭୁଜା । କାଲି ଷଷ୍ଠୀରେ ବିଲ୍ବବରଣୀ ପରେ ଆଜି ମଣ୍ଡପରେ ଅନୁଷ୍ଠିତ ହୋଇଛି ମହାସପ୍ତମୀ ପୂଜା । ନବପତ୍ରିକା ପୂଜା, ଘଟ ପ୍ରବେଶ ଓ ଚକ୍ଷୁ ଦାନ ଆଦି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ, ଜଗଜ୍ଜନନୀଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।  
 
ରାଜଧାନୀରୁ ରୌପ୍ୟନଗରୀ... ଇସ୍ପାତ ନଗରୀରୁ ଶିଳ୍ପନଗରୀ... ଆଉ ତା ସହ ରେଶମ ସହର । ଉତ୍ତରରେ ବାଲେଶ୍ୱରରୁ ଆରମ୍ଭ କରି ପଶ୍ଚିମରେ ସମ୍ୱଲପୁର, ଦକ୍ଷିଣରେ ମାଲକାନଗିରି ଯାଏଁ । ପୂଜାମନସ୍କ ଗାଁରୁ ସହର । ସବୁଠି ଉତ୍ସାହ.. ସବୁଠି ଉତ୍ସବମୁଖର । ଭୁବନେଶ୍ୱରର ରସୁଲଗଡ଼ରେ ପାହାଡ଼ ଉପରେ ମନ୍ଦିରର ଭ୍ରମ, ବମିଖାଲରେ ଚୀନ୍‌ର ମୟୂର ପ୍ୟାଲେସ୍ । 

Advertisment

ଭିନ୍ନ ଭିନ୍ନ ଥିମ୍‌ରେ ସୁଦୃଶ୍ୟ ମଣ୍ଡପ ତିଆରି ହୋଇଥିବା ବେଳେ, ସେପଟେ କଟକରେ ଚାନ୍ଦିମେଢ଼ ଓ ସୁନା ମେଢ଼ ଦେଖିବାକୁ ଭିଡ଼ ଜମିଛି । ଅନୁଗୁଳ ଅମଲାପଡ଼ାରେ କେଦାରନାଥ ମନ୍ଦିରର ପ୍ରତିକୃତି ଏବଂ କଳାହାଣ୍ଡିରେ ଯୋଧପୁର ହାୱା ମହଲ ଭଳି ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ।  ଆଜି ସପ୍ତମୀଠୁ ମଣ୍ଡପରେ ଦଶରା ଗହଳି ଜମିଥିବା ବେଳେ, ଆସନ୍ତାକାଲି ମହାଅଷ୍ଟମୀରେ ମନଭରି ମନସ୍କାମନା ମାଗିନେବେ ଅଗଣିତ ବ୍ରତଧାରୀ ।