କନକ ବ୍ୟୁରୋ: ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟାକଲେ ବାପା-ପୁଅ । ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଏହି ଅଘଟଣ ଘଟିଛି । ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ସେ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ଗତକାଲି ରାତିରେ କୌଣସି କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।
ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛି । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । କେଉଁ କାରଣ ଯୋଗୁଁ ବାପା ପୁଅ ଏଭଳି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।