କନକ ବ୍ୟୁରୋ: ରୁଷ୍-ୟୁକ୍ରେନ ଯୁଦ୍ଧବିରତି ପ୍ରୟାସ ଭିତରେ ବଡ଼ ଆକ୍ରମଣ । ୟୁକ୍ରେନର ସୀମାବର୍ତ୍ତୀ ସହରଗୁଡ଼ିକ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ୟୁକ୍ରେନର ରାଜଧାନୀ କିଭ୍ ଓ ସୁମି ସହର ଉପରେ ରୁଷ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ମିଶାଇଲ ମାଡରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସିଭିକ୍ ସେଣ୍ଟର ସହ ଅନେକ କୋଠା ମଧ୍ୟ ଧ୍ବଂସ ହୋଇଯାଇଛି । ଆକ୍ରମଣରେ ନିହତଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବଡ଼ କଥା ହେଉଛି ଋଷ ଭାରତୀୟ ମେଡିସିନ୍ କମ୍ପାନୀ ଉପରେ ଆକ୍ରମଣ କରିଥିବା ନେଇ ୟୁକ୍ରେନ ଅଭିଯୋଗ କରିଛି । ଭାରତ ଓ ଋଷ ମଧ୍ୟରେ ସ୍ବତନ୍ତ୍ର ବନ୍ଧୁତ୍ବ ସତ୍ବେ ଜାଣିଶୁଣି ଋଷ ଭାରତୀୟ ମେଡିସିନ କମ୍ପାନୀ ଉପରେ ଆକ୍ରମଣ କରିଛି ।
କିଭ୍ରେ ଥିବା ଇଣ୍ଡିଆନ ଫାର୍ମାସିଟିକାଲ କମ୍ପାନୀ ଉପରେ ଋଷ ମିଶାଇଲ ମାଡ଼ କରିଥିବା ନେଇ ୟୁକ୍ରେନ ଦୁତାବାସ ପକ୍ଷରୁ କୁହାଯାଇଛି । କିନ୍ତୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ କିଛି ସୂଚନା ମଳିନାହିଁ । ଜାଣିଶୁଣି ଋଷ ଜନବସତିକୁ ଟାର୍ଗେଟ୍ କରୁଥିବା ୟୁକ୍ରେନ କର୍ତ୍ତୃପକ୍ଷ କହିଛନ୍ତି । ସୁମିର ସିଭିକ୍ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆମେ ଏଭଳି ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଶାନ୍ତି ଆଲୋଚନା ପ୍ରସ୍ତାବ ସଂପର୍କରେ ଜେଲେନସ୍କି କହିଛନ୍ତି ଯେ କେବେ ବି କ୍ଷେପଣାସ୍ତ୍ର ଓ ଆକାଶମାର୍ଗରୁ ବୋମା ମାଡ଼ ଭିତରେ ଆଲୋଚନା ହୋଇପାରିବ ନାହିଁ । ରୁଷ୍ ଏକ ଆତଙ୍କବାଦୀ ରାଷ୍ଟ୍ର ଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।