କନକ ବ୍ୟୁରୋ:  ନୂଆ ପୋଷାକ ସାଙ୍ଗକୁ ହାତରେ ମେହେନ୍ଦି, ପାଦରେ ଅଳତା, ମଥାରେ କୁଙ୍କୁମ ଓ ଚନ୍ଦନ । ସଜେଇ ହୋଇଛନ୍ତି ଝିଅବୋହୂ । ଘରେଘରେ ପୋଡ଼ପିଠା ଓ ମିଠା । ବାହାରେ ଦୋଳିର କଟକଟ ଶବ୍ଦ ସାଙ୍ଗକୁ ଝିଅଙ୍କ ମୁହଁରେ ରଜଗୀତ ।  କିଏ ଦୋଳି ଖେଳୁଛନ୍ତି ତ କିଏ ଘରଘର ବୁଲୁଛନ୍ତି ତ କିଏ ସାଙ୍ଗସାଥୀଙ୍କୁ ରଜପାନ ବାଣ୍ଟିବାରେ ବ୍ୟସ୍ତ । ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ସ୍ବତନ୍ତ୍ର ମହୋତ୍ସବ। ସେଲିବ୍ରିଟିମାନେ ସାମିଲ ହୋଇ ନିଜେ ଖୁସି ହେବା ସହ ସମସ୍ତଙ୍କୁ ଖୁସି ବାଣ୍ଟିଛନ୍ତି । 

Advertisment

ଉତ୍ତର ଓଡ଼ିଶାରେ ରଜର ମଜା ନିଆରା । ଗାଁ ମୁଣ୍ଡ ଆମ୍ବତୋଟାରେ ଝିଅବୋହୂ ପାରମ୍ପରିକ ଦୋଳିର ମଜା ନେଉଛନ୍ତି । ଏହି ଦୋଳି ମାସକ ପୂର୍ବରୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥାଏ । ଆୟୋଜନ ହୋଇଛି ତାସ୍, ପୁଚି, କବାଡ଼ି, ହୁଳହୁଳି, ଚିତା, ମୁରୁଜ, ଲୁଡୁ, ଦୌଡ଼ିଡିଆଁ, ଶଙ୍ଖ ବଜାଇବା, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା । ସମସ୍ତେ ଖେଳ ସହ ଖାଦ୍ୟର ମଜା ନେଉଛନ୍ତି ।  

ରଜରେ ରଜପାନର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ଏଥିପାଇଁ ବଜାରରେ ମିଳୁଛି ଭଳି କି ଭଳି ପାନ । ଦାମ 10 ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ରହିଛି । ସେପଟେ ରଜରେ ପାନପ୍ରିୟ କାଳିଆ ଠାକୁରଙ୍କ ପାଇଁ ବିଡ଼ିଆ ପାନ ନେଇ ଭକ୍ତ ପହଞ୍ଚିଥିଲେ ଶ୍ରୀମନ୍ଦିରରେ । ଏକ ହଜାରରୁ ଅଧିକ ପାନ ଭାଙ୍ଗି ଚକ୍ର ନାରାୟଣଙ୍କୁ ସମର୍ପଣ କରିଛନ୍ତି ଜଣେ ଭକ୍ତ । ରଜ ଏକ କୃଷିଭିତ୍ତିକ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ପରିଣତ ହୋଇଛି । ଆଉ ଦୁଇଦିନ ପାଗ ଅନୁକୂଳ ରହିଲେ ରଜର ମଜା ଆହୁରି ଜମିବ ।