କନକ ବ୍ୟୁରୋ : ଶାସକ-ବିରୋଧୀଙ୍କ ଜିଦ୍ ପାଇଁ ବଳିପଡୁଛି ଓଡ଼ିଶାବାସୀଙ୍କ ସ୍ବାର୍ଥ । ସ୍ବାଭାବିକ ଭାବେ ଚାଲିପାରୁନି ବିଧାନସଭା । ପ୍ରତିଦିନ ଭଳି ଆଜି ମଧ୍ୟ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ଗୃହରେ ହୋ ହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଦାବି କରି ନାରାବାଜି କରିଥିଲା କଂଗ୍ରେସ । ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ଦଳର ବିଧାୟକ । ଅନ୍ୟପଟେ ରାୟଗଡା ଗୁଣୁପୁରରେ ଅନ୍ବେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଓ ମୟୂରଭଞ୍ଜରେ ନିମ୍ନମାନର ଖାଦ୍ୟ ଓ ନିର୍ଯାତନା ଯୋଗୁଁ ଛାତ୍ରମାନେ ରାତି ଅଧରେ ହଷ୍ଟେଲ ଛାଡିବା ଘଟଣାରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା ମୁଖ୍ୟ ବିରୋଧୀ ବିଜେଡି । ବାଚସ୍ପତି ବିଜେଡିର ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମଧ୍ୟ ଆଲୋଚନା ନହେବାରୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ପ୍ରମିଳା ।
ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନଥିବା ବେଳେ ଏଥିପାଇଁ ବିରୋଧୀ ଦଳକୁ ଦାୟୀ କରିଛି ଶାସକ ଦଳ । ବିଜେଡି-କଂଗ୍ରେସ କଥାବାର୍ତ୍ତା ହୋଇ ଗୃହ ଚଳାଇ ଦେଉନଥିବା କହିଛି ବିଜେପି । ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ଏବଂ ଆଲୋଚନା ପରେ ବି ସମାନ ପ୍ରସଙ୍ଗରେ କଂଗ୍ରେସ ହୋହଲ୍ଲା କରୁଛି । ଗୃହରେ କୌଣସି ପ୍ରସଙ୍ଗ ଆଲୋଚନା ହେଉ ବୋଲି ବିରୋଧୀ ଚାହୁଁନଥିବା କହି ବାଣ ମାରିଛନ୍ତି ଇରାଶିଷ ।
ବିଧାନସଭା ସ୍ବାଭାବିକ ଢଙ୍ଗରେ ନ ଚାଲିବାକୁ ନେଇ ଉଭୟ ଶାସକ-ବିରୋଧୀ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି । କିନ୍ତୁ ଗୃହକାର୍ଯ୍ୟକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ କାହିଁକି ଡାକୁ ନାହାନ୍ତି ବାଚସ୍ପତି? ଦୈନିକ ଗୃହ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପ୍ରଶ୍ନ ଉଠୁଛି, ଗୃହ ବନ୍ଦ ହେବା ଦ୍ବାରା କାହାର ସ୍ବାର୍ଥ ସାଧନ ହେଉଛି?