କନକ ବ୍ୟୁରୋ: ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ କିଛି ଲାଭଖୋର ଅଧିକାରୀ ଓ ଠିକାଦାର ସରକାରୀ ଅର୍ଥ ହରିଲୁଟ କରି ନିମ୍ନମାନର କାମ କରୁଛନ୍ତି। ଯାହାର ଫଳ ଭୋଗୁଛନ୍ତି ସାଧାରଣ ଜନତା । ସୋରରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା କାମ କରାଯାଉଛି । ହେଲେ କାମ ଏତେ ନିମ୍ନମାନର ଯେ ନିର୍ମାଣର ଗୋଟିଏ ଦିନରେ ରାସ୍ତାରୁ ପିଚୁ ଉଠିଯାଉଛି । ଏନେଇ ଅଭିଯୋଗ କଲେ ନାଲି ଆଖି ଦେଖାଉଛନ୍ତି ଠିକାଦାର ।
ସୋର ମାଟିଆପାଲା ଛକଠାରୁ ମାଣିପୁର ପର୍ୟ୍ୟନ୍ତ ପିଡବ୍ଲୁଡି ରାସ୍ତା କାମ ଚାଲିଛି । ପୂର୍ତ୍ତ ବିଭାଗ ତରଫରୁ ଏହି ଦାୟିତ୍ବ ଆରକେଡି ନାମକ ଠିକା ସଂସ୍ଥାକୁ ଦିଆଯାଇଛି । ୯ କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ବିନା ସୂଚନା ଫାଳକରେ ଅତ୍ୟନ୍ତ ନିମ୍ନମାନର କାମ କରାଯାଉଛି । ନିର୍ମାଣର ଗୋଟିଏ ଦିନ ପରେ ରାସ୍ତାରୁ ଉଠିଯାଉଛି ପିଚୁ ।
ଗାଁ ଲୋକ ଏନେଇ ଅଭିଯୋଗ କଲେ ଠିକାଦାର ନାଲି ଆଖି ଦେଖାଇବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କହୁଛନ୍ତି ୩ ବର୍ଷ ଭିତରେ ରାସ୍ତା ଖରାପ କଲେ ଏହାକୁ ପୁଣି ମରାମତି କରାଯିବ । ବିଭାଗୀୟ ଅଧିକାରୀ ଏହି ଦୁର୍ନୀତିର ତଦନ୍ତ ନକରିଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଗାଁ ଲୋକ ।