କନକ ବ୍ୟୁରୋ :  ରହସ୍ୟମୟ ଭିତର ରତ୍ନୠଣ୍ଡାରରେ ଅଛି କି ସୁଡଙ୍ଗ ?  କାନ୍ଥ ପଛପଟେ ଅଛି କି ଆହୁରି ଗୁପ୍ତ କୋଠରୀ? କୋଠରୀ ଭିତରେ ଅଛି କି ରତ୍ନ ଅଳଙ୍କାର?   ଏଭଳି କିଛି ରହସ୍ୟ ଉପରୁ ଖୁବଶୀଘ୍ର ପରଦା ହଟାଇବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, ଏଏସଆଇ । ଆସନ୍ତା ୧୮ ତାରିଖରେ ଭିତର ରତ୍ନଭଣ୍ଡାରକୁ ଯିବ ଏଏସଆଇର ଏକ ସ୍ୱତନ୍ତ୍ର ଟିମ୍ ।  ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ହେବ । ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ ଭିତର ରତ୍ନଭଣ୍ଡାରକୁ ଯିବ । ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବା ଲେଜର ସ୍କାନିଂ ମାଧ୍ୟମରେ ଭିତର ରତ୍ନଭଣ୍ଡାରର ଯାଂଚ ହେବ । ଯାହାଦ୍ୱାରା କାନ୍ଥ ପଛପଟେ କଣ ଅଛି , କାନ୍ଥ କେତେ ସୁରକ୍ଷିତ ଅଛି, ଚଟାଣ ତଳେ କଣ ଅଛି ତାହା ଜଣାପଡିବ ।

Advertisment

ଖାଲି ସେତିକି ନୁହେଁ ଯାଂଚ ସମୟରେ ଶ୍ରୀମନ୍ଦିର ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନଦେବାକୁ ଏଏସଆଇକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ଣ୍ଣାଙ୍ଗ, ଅତ୍ୟାଧୁନିକ ଓ ବୈଷୟିକ ଯାଂଚ ପରେ ରତ୍ନଭଣ୍ଡାରର ମରାମତି ହେବ । ଏହାକୁ ଶୀଘ୍ର ସାରିବାକୁ ଏଏସଆଇକୁ କୁହାଯାଇଛି । 

୪୬ ବର୍ଷ ପରେ ଗତ ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି । ଆଉ ୧୮ ତାରିଖରେ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଏଏସଆଇ ମରାମତି ସାରିବା ପରେ ଅଳଙ୍କାରଗୁଡିକର ଗଣତିମଣତି କରାଯିବ, ଯାହାକୁ ଜାଣିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀ ଅପେକ୍ଷା କରି ରହିଛନ୍ତି ।