କନକ ବ୍ୟୁରୋ : ମାତ୍ର ଆଉ କିଛି ଦିନର ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ମୂର୍ତ୍ତି କାମ ସରିବା ପରେ ଏବେ ଚାଲିଛି ଅଳଙ୍କାର ସାଜସଜ୍ଜା କାମ । କଟକରେ ବିଭିନ୍ନ ମଣ୍ଡପରେ ଦିନରାତି ଏକ କରି ଦେଇଛନ୍ତି କାରିଗର ।

Advertisment

ଅଳଙ୍କାରରେ ସଜେଇ ହେଉଛନ୍ତି ମା’
ଚାନ୍ଦିରେ ଆଭୂଷିତ ହେବେ ଦେବୀ ଦୁର୍ଗା
ଚଳଚଞ୍ଚଳ ପୂଜା ମଣ୍ଡପ । ମାଆଙ୍କ ମୂର୍ତ୍ତି କାମ ସରିବା ପରେ ଏବେ ଚାଲିଛି ସାଜସଜ୍ଜା କାମ । ଦେବୀ ଦୁର୍ଗାଙ୍କୁ ନାନାଦି ଅଳଙ୍କାରରେ ସଜ୍ଜିତ କରାଉଛନ୍ତି କାରିଗର । ହାତରେ ଆଉ ଦିନ କେଇଟା ଥିବାରୁ କାରିଗରମାନେ ଦିନ ରାତି ଏକ କରିଦେଇଛନ୍ତି । ରୌପ୍ୟ ନଗରୀ କଟକର ବିଭିନ୍ନ ମଣ୍ଡପରେ ସୁନା ଚାନ୍ଦି ମେଢ଼ରେ ଝଲସିବେ ମାଆ । 
କଟକ ସହରରେ ଦୁର୍ଗା ପୂଜା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷ କରି ମା’ଙ୍କ ଚାନ୍ଦି ମେଢ଼ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଥାଏ ଉତ୍କଣ୍ଠା । ସାଜସଜ୍ଜା କାମରେ ଯେପରି କୌଣସି ତ୍ରୁଟି ନରୁହେ ସେଥିଲାଗି କାରିଗର ମାନେ ବିଶେଷ ଧ୍ୟାନ ଦେଇଛନ୍ତି । ଗୋଟିଏ ଗୋଟିଏ ମଣ୍ଡପରେ ପ୍ରାୟ ୭ରୁ ୧୦ଜଣ କାରିଗର ଅଳଙ୍କାର ସାଜସଜ୍ଜା କାମରେ ଲାଗିପଡିଛନ୍ତି । ବର୍ଷକ ପରେ ମାଆଙ୍କୁ ପାଖରେ ପାଇବେ ଶ୍ରଦ୍ଧାଳୁ । ସମସ୍ତେ ଚାହିଁ ବସିଛନ୍ତି ମାଆଙ୍କ ଆଗମନକୁ ।