କନକ ବ୍ୟୁରୋ : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତିର ଉଲ୍ଲଂଘନ ଭିତରେ ଭାରତୀୟ ବାୟୁସେନା ଦେଇଛି ବଡ ବୟାନ । ଗୋଟିଏ ପଟେ ଭାରତୀୟ ସେନା ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ ଦେଉଛି ଅନ୍ୟପଟେ ଅପରେସନ ସିନ୍ଦୂର ଜାରି ରହିଛି ବୋଲି କହି ଶତ୍ରୁ ପକ୍ଷକୁ ଚମକାଇ ଦେଇଛି ଭାରତୀୟ ବାୟୁସେନା । ଏକ୍ସ ଆକାଉଣ୍ଟରେ ବାୟୁସେନା ପୋଷ୍ଟ କରି କହିଛି,ଅପରେସନ ସିନ୍ଦୂରରେ ଦିଆଯାଇଥିବା ଟାସ୍କକୁ ସଫଳତାର ସହ ସଠିକ୍ ଢଙ୍ଗରେ ପୂରା କରିଛି ବାୟୁସେନା । କିନ୍ତୁ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି । ଗୁଜବ ଓ ବିନା ଯାଞ୍ଚରେ ଖବର ଠାରୁ ଦୂରେଇ ରୁହନ୍ତୁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତୀୟ ସେନାର ପରାକ୍ରମକୁ ପ୍ରଂଶସା କରିବା ସହ ପାକିସ୍ତାନକୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଛାଶକ୍ତିରେ ପ୍ରତୀକ । ତେଣୁ ସୀମାର ଏପଟେ କିମ୍ବା ସେପଟେ ଆଙ୍କବାଦୀଙ୍କୁ ଆଦୌ ବରଦାସ୍ତ କରାଯିବନି ।
ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲେ ମଧ୍ୟ ଅଧରାତିରେ ନିଜ ସୈତାନ ରୂପ ଦେଖାଇଥିଲା ପାକିସ୍ତାନ। ସୀମା ସେପାରିରୁ ଗୁଳିମାଡ ସହ ଡ୍ରୋନରେ ଆକ୍ରମଣ କରିଥିଲା ପାକ୍। ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେବାକୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ, ୩ ସେନା ମୁଖ୍ୟ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ସବୁ କଥା ବୁଝିବା ପରେ ଅସ୍ତ୍ରବିରତି ଉଲଂଘନର କଡା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନର ପୁରୁଣା ଅଭ୍ୟାସ ରହିଛି ପଛପଟୁ ଛୁରୀ ମାରିବା। କିନ୍ତୁ ଏଥର ସଜାଗ, ସତର୍କ ଓ ଦମ୍ଭର ସହ ପ୍ରତିଟି ଆକ୍ରମଣର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା।
Follow Us