କନକ ବ୍ୟୁରୋ: ଜଣେ ମହିଳାଙ୍କର ୪ଟି ଜନ୍ମ ତାରିଖ । ଭିନ୍ନ ଭିନ୍ନ ଜନ୍ମ ତାରିଖ ପାଇଁ ଚାକିରିରୁ ବିଦା ହେଲେ ଅଙ୍ଗନବାଡ଼ି ଦିଦି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କପ୍ତିପଦା ବ୍ଲକ ଦେବାନବାହାଳୀ-ଟୁର ଅଙ୍ଗନବାଡ଼ି କର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ଅଙ୍ଗନବାଡ଼ି କର୍ମୀ ସୁମି ସିଂ ଶମ୍ବୁରାଇ ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ଚାକିରି ହାତେଇଥିଲେ । ୨୦୨୨ ମସିହାରୁ ଦେବାନବାହାଳୀ-ଟୁର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ହେଲେ ତାଙ୍କ ଜନ୍ମତାରିଖକୁ ନେଇ ଅଭିଯୋଗ ହୋଇଥିଲା। ଯାହାର ଖୋଳତାଡ଼ ପରେ ସୁମିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଜଣାପଡିଥିଲା। ଅଙ୍ଗନବାଡିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବା ବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି। ଦସ୍ତାବିଜ ଯାଞ୍ଚ କରିବା ପରେ ଚାକିରିରୁ ବିଦା କରିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ଚାକିରୀରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏନେଇ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି ।