କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କର ଭକ୍ତ ଶ୍ରେଷ୍ଠ ସାଲବେଗ ଲେଖିଛନ୍ତି, 
                  ।।    ଏକା ତୋ ଭକତ ଜୀବନ
                     ଭକତ ନିମେନ୍ତ ତୋର ଶଙ୍ଖ ଚକ୍ର ଚିହ୍ନ ।।        

Advertisment

ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କରୁଣା । ସେ ସବୁବେଳେ ଭକ୍ତର ଭକ୍ତିରେ ବନ୍ଧା । ସେ ଦିନ , ହୀନ, ଧନୀ , ନିର୍ଦ୍ଧନ , ଜାତି , ଅଜାତି ସବୁର ଊର୍ଦ୍ଧ୍ବରେ ।   ସେଥିପାଇଁ କୁହାଯାଇଛି ଯୁଗେ ଯୁଗେ ଭଗବାନ ଭକ୍ତର । ଏହାର ପ୍ରମାଣ ଦେବାକୁ ଯାଇ ସେ ବିଭିନ୍ନ ସମୟରେ ବିଭିନ୍ନ ଲୀଳାଖେଳା କରିଛନ୍ତି । ସନ୍ଥ କବୀର, ଗଣପତି ଭଟ୍ଟ, ରଘୁ ଅରକ୍ଷିତଙ୍କଠାରୁ ଆରମ୍ଭ କରି ବନ୍ଧୁ ମହାନ୍ତି, ବଳରାମ ଦାସ, ଭକ୍ତ ସାଲବେଗ, ଦାସିଆ ବାଉରୀ, ଭକ୍ତ କବି ଜୟଦେବଙ୍କ ସହ ତାଙ୍କର ଲୀଳା ଏହାର ଗୋଟିଏ ଗୋଟିଏ ଶ୍ରେଷ୍ଠ ପ୍ରମାଣ ।

କ୍ଷୁଧାତୁର ଭକ୍ତ ବନ୍ଧୁ ମହାନ୍ତିଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସେ ନିଜର ସୁନାଥାଳିରେ ଭୋଗ ବାଢ଼ି ଦେଇ ତାଙ୍କୁ ଯାଚିଦେଇଥିଲେ । ରାତି ପାହି ସକାଳେ ସୁନା ଥାଳି ଚୋରି ହୋଇଯାଇଛି ଆଉ ବନ୍ଧୁ ମହାନ୍ତି ଯେ ସୁନାଥାଳି ଚୋର ବୋଲି ଧରାପଡ଼ି ରାଜଦଣ୍ଡ ଭୋଗ କରୁଥିବାବେଳେ ଗଜପତି ମହାରାଜଙ୍କୁ ସ୍ବପ୍ନାଦେଶ ହୋଇଥିଲେ ସ୍ବୟଂ ମହାପ୍ରଭୁ । ତାଙ୍କୁ ସବୁ ସତକଥା ଜଣାଇ ତୁରନ୍ତ ବନ୍ଦୀଶାଳାରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ପାଇଁ ଆଜୀବନ ମହାପ୍ରସାଦ ଖଞ୍ଜାଇଦେଇଥିଲେ ମହାପ୍ରଭୁ । 

ମହାପ୍ରଭୁ ଯେ ଗଣପତି ଭଟ୍ଟଙ୍କ ମନ କଥା ବୁଝି ଗଜାନନ ବେଶ ଧାରଣ କରିଛନ୍ତି। ଦାସିଆ ବାଉରୀଙ୍କ ନଡ଼ିଆକୁ ଶ୍ରୀହସ୍ତ ବଢ଼ାଇ ନେଇଛନ୍ତି, ପୁଣି ଭକ୍ତ ବଳରାମ ଦାସଙ୍କ ପାଇଁ ନନ୍ଦିଘୋଷ ଛାଡ଼ି ତାଙ୍କ ବାଲି ରଥରେ ବିଜେ ହୋଇଛନ୍ତି । ଏସବୁ ହେଉଛି ଭକ୍ତ ପାଇଁ ତାଙ୍କର ପ୍ରେମ ଓ ସ୍ବତନ୍ତ୍ର ଭଲ ପାଇବାର ନିଦର୍ଶନ । ତାଙ୍କ ଭକ୍ତିରେ ଯିଏ ଦୃଢ଼ ହୋଇଯାଏ ସେ ତା’ ପାଖରେ ବନ୍ଧା ପଡ଼ିଯାଆନ୍ତି । ସେଥିପାଇଁ ତ ଯେତେବେଳେ ଭକ୍ତ ନାରଦ ଗୋସାଇଁ ପ୍ରଭୁଙ୍କୁ ପଚାରିଲେ,’ ପ୍ରଭୁ ଆପଣ କେଉଁଠି ବାସ କରନ୍ତି ? ମହାପ୍ରଭୁ ଉତ୍ତର ଦେଇଥିଲେ , ’ ନାହମ୍ ତିଷ୍ଠାମି ବୈକୁଣ୍ଠେ ଯୋଗୀ ନାମ୍ ହୃଦୟେ ନଚ,
ମଦ୍ ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ’ । ଅଥାତ୍ ହେ ନାରଦ ! ମୋତେ ବେଦ ବୈକୁଣ୍ଠଧିପତି ବୋଲି କୁହେ କିନ୍ତୁ ମୁଁ ବୈକୁଣ୍ଠରେ ନୁହେଁ , କି ମୁନିଋଷିମାନେ ନିଜର ସାଧନା ବଳରେ ମୋତେ ତାଙ୍କ ହୃଦୟରେ ଧାରଣ କରିଥାନ୍ତି, ସେଠିବି ମୁଁ ନଥାଏ ବରଂ ମୁଁ ଭକ୍ତ ପାଖରେ ଥାଏ । ଯେଉଁଠି ଭକ୍ତର ବ୍ୟାକୁଳତା ଥାଏ ମୁଁ ସେଇଠି ବାନ୍ଧି ହୋଇଯାଏ। ତା’ର ମନ, ହୃଦୟ ହିଁ ମୋର ପରମଧାମ ’। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।