କନକ ବ୍ୟୁରୋ: ବାହାର ରାଜ୍ୟରେ ଯିଏ ବେଶ୍ ଆଦୃତ । ଆଜି ସିଏ ଅନ୍ତୁଡ଼ିଶାଳରେ ବଞ୍ଚିବା ପାଇଁ ସଂଘର୍ଷରତ। ଏକ ନିପୁଣ କଳାକୃତି ଲୋପର ଦ୍ୱାରଦେଶରେ।
ଢୋକ୍ରା, ୪ହଜାର ବର୍ଷ ତଳର ପୁରାତନ କଳା । ଅନନ୍ୟ ହସ୍ତଶିଳ୍ପ ଭାବେ ଜଣାଶୁଣା । ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ ଭଳି ରାଜ୍ୟରେ ଏହି କଳାକୃତି ଦେଖିବାକୁ ମିଳେ। ବିଭିନ୍ନ ଘରସଜା ସାମଗ୍ରୀ, ଠାକୁରଙ୍କ ମୂର୍ତ୍ତି, ଆଦିବାସୀଙ୍କ ଜୀବନ ଶୈଳୀ ମଧ୍ୟ ଏହି କଳା ମାଧ୍ୟମରେ ପ୍ରଦର୍ଶନ କରନ୍ତି କାରିଗର । ତେବେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ କୁଡ଼ିଆଖୁଣ୍ଟା ଗାଁରେ ୬୦ରୁ ଅଧିକ ପରିବାର ଏହାକୁ ଜୀବନ ଓ ଜୀବିକାର ମାଧ୍ୟମ କରିଛନ୍ତି । ରାଜ୍ୟ ତଥା ଦେଶ ବାହାରେ ଏହାର ଚାହିଦା ରହିଥିଲେ ମଧ୍ୟ ଏବେ ବି ଅବହେଳିତ ଭାବେ ରହୁଛନ୍ତି ଏହି ଗାଁର କାରିଗର । ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି ।
ଢୋକ୍ରାରେ ମାଣ, ହାତୀ, ମାଛ, କୁମ୍ପି, ଦୀପ, କଇଁଛ, ଡିବି, ଲକ୍ଷ୍ମୀନାରାୟଣ ମୂର୍ତ୍ତି ତିଆରି କରାଯାଉଛି । ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି କାରିଗର । ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଢୋକ୍ରାର ବିଭିନ୍ନ ସାମଗ୍ରୀ ନିର୍ମାଣରେ ସମସ୍ୟା ସୃଷ୍ଟି ହେଉଛି । ପ୍ରୋତ୍ସାହନ ଅଭାବରୁ କାରିଗର ଦାଦନମୁହାଁ ହେଉଛନ୍ତି । ଘରର ପୁରୁଷଙ୍କ ସହିତ ମହିଳା ଏବଂ ପିଲାମାନେ ଏହି କଳାକୃତି ତିଆରିରେ ଲାଗିପଡ଼ନ୍ତି । ଯଦିବା କାରିଗର ଏବଂ କଳାକୃତି ପାଇଁ ସରକାରୀ ସ୍ତରରେ ସାହାଯ୍ୟ ଆସୁଛି ହେଲେ ତାହା ବାଟବଣା ହୋଇଯାଉଛି । ସେଥିପାଇଁ କାରିଗର ମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପଟେ ଅତ୍ୟାଧୁନିକ ମେସିନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି କାରିଗର ।
ସରକାରଙ୍କ ପକ୍ଷରୁ ଏହି କଳାର ଉନ୍ନତି ପାଇଁ ଗୁରୁତ୍ବ ଦିଆଗଲେ ଅନେକ କାରିଗରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରନ୍ତା ।